କୋରାପୁଟ, (ସତ୍ୟପାଠବ୍ୟୁରୋ): ପାଟ୍ରୋଲିଂ ସମୟରେ ପୋଲିସ ଓ ଡକାୟତ ଦଳ ମୁହାଁମୁହିଁ। ଡକାୟତି ଦଳ ଫିଲ୍ମି ଷ୍ଟାଇଲ୍ରେ ହାଇଡ୍ରାମା କରିଥିବାବେଳେ ପାଟ୍ରୋଲିଂ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ବୋରିଗୁମ୍ମା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଏକ ସନ୍ଦେହଜନକ ଡକାୟତି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଡକାୟତମାନେ ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ। ଏହାପରେ ପୋଲିସ ଗାଡ଼ିଟିକୁ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇଥିଲା। କାମରା ଗାଁ ଶ୍ମଶାନ ରାସ୍ତା ନିକଟରେ ଆଗକୁ ଆଉ ରାସ୍ତା ନଥିବାରୁ ଡକାୟତମାନେ ବାଧ୍ୟ ହୋଇ ଗାଡ଼ି ଅଟକାଇଥିଲେ । ତେବେ ପୋଲିସ ସେମାନଙ୍କୁ କାବୁ କରିବା ପୂର୍ବରୁ ଡକାୟତମାନେ ଗାଡ଼ିରୁ ମାରଣାସ୍ତ୍ର ବାହାର କରି ପୋଲିସକୁ ଭୟଭୀତ କରିଥିଲେ। ଡକାୟତମାନେ ପୋଲିସର ସ୍କର୍ପିଓ ଗାଡ଼ିକୁ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୋଲିସ ଗାଡ଼ିର ଚାବି ନେଇ ନିଜ ଗାଡ଼ିକୁ ସେହି ସ୍ଥାନରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ଏହି ଘଟଣା ପରେ ପୋଲିସ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ଡକାୟତମାନଙ୍କୁ ଖୋଜୁଥିବା ସମୟରେ ଭାରତମାଳା ରାସ୍ତା ଦେଇ ୩ ଜଣ ଯୁବକ ୩ଟି ବାଇକରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ନଜରରେ ପଡ଼ିଥିଲା। ପୋଲିସ ତୁରନ୍ତ ସେମାନଙ୍କୁ ମାଡ଼ି ବସିବା ସହ ଗଞ୍ଜେଇ ଓ ବାଇକ୍ ଜବତ କରିଛି। ବର୍ତ୍ତମାନ ପୋଲିସ ଫେରାର୍ ଡକାୟତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
