ସମ୍ବଲପୁର, (ସତ୍ୟପାଠବ୍ୟୁରୋ ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ବସିଲାଣି ଗଁାରୁ ସହର l ନୂଆଁଖାଇ ପାଖେଇ ଆସିଲାଣି ବୋଲି ନବାନ୍ନ ପାଇଁ ନବ ଶସ୍ୟ ବି ଉତ୍ପାଦିତ ହୋଇସାରିଥିବା େବଳେ ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ୱରୀଙ୍କର ମନ୍ଦିରରେ ଧାନ କେଣ୍ଡା ପହଞ୍ଚିଛି। ସମ୍ବଲପୁର ସହର ନିକଟବର୍ତ୍ତୀ ଧନକଉଡ଼ା ବ୍ଲକ ଅନ୍ତର୍ଗତ ବଲଵସପୁର ଗ୍ରାମର ଚାଷୀ ସୁବାଷ ବେହେରାଙ୍କର ପରିବାର ଆଜି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରକୁ ପହଞ୍ଚି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କୁ ଧାନ କେଣ୍ଡା ସହ ଅନ୍ୟ ଭୋଗ ସାମଗ୍ରୀ ହସ୍ତାନ୍ତର କରିଛନ୍ତି l
ଗୋପାଳଜୀ ମଠରେ ପୂଜାର୍ଚ୍ଚନା ପରେ ଦୁଲଦୁଲି ବାଦ୍ୟ ସହ ଏକ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ପହଞ୍ଚିଥିଲେ l ମନ୍ଦିର ସମ୍ମୁଖରେ ମନ୍ଦିର ପୂଜକ ଓ ଅଞ୍ଚଳବାସୀ ସେମାନଙ୍କୁ ସ୍ୱାଗତ କରିଥିଲେ l
ସୂଚନା ଯୋଗ୍ୟ ଯେ, ୬୦ ଦିନିଆ ସରିଆ ଧାନ ବଲଵସପୁର ଗ୍ରାମର ସୁବାଷ ବେହେରାଙ୍କର ପରିବାର ଦୀର୍ଘ ୧୫ ବର୍ଷ ହେଲେ ଚାଷ କରିବା ସହ ମାଁ ସମଲେଶ୍ୱରୀ ପୀଠଙ୍କୁ ନୁଆଁଖାଇ ନବାନ୍ନ ଭୋଗ ପାଇଁ ପ୍ରଦାନ କରିଆସୁଛନ୍ତି l
ଏହି ଅବସରରେ ପୂଜକ ପରିବାରର ଶିବ ପ୍ରସାଦ ରାଏ, ଦେବେନ୍ଦ୍ର ରାଏ, ଯୋଗେନ୍ଦ୍ର ରାଏ, ଗୋମତୀ ରାଏ, ଦୀପଶିଖା ରାଏ ଓ ଅନ୍ୟମାନେ ତଥା ବଲଵସପୁରର ଚାଷୀ ସୁବାଷ ବେହେରାଙ୍କ ସହ ପୁଷ୍ପାଞ୍ଜଳି ବେହେରା, ସତ୍ୟଭାନ ବେହେରା, ନିରୁପମା ବେହେରା, ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଆସନ୍ତା ଗଣପର୍ବ ନୁଆଁଖାଇ ଉତ୍ସବ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଦିନ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କର ପାଖରେ ନବାନ୍ନ ଭୋଗ ଲାଗି ହେବ l