ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ବ୍ରିକ୍ସ ମିଡିଆ କିଟ୍ରେ ସ୍ଥାନ ପାଇଛି ଓଡ଼ିଶାର ପ୍ରସିଦ୍ଧ କୋରାପୁଟ କଫି। ଯାହା ପୁଣିଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଓଡ଼ିଶାର କଫିକୁ ସ୍ୱତନ୍ତ୍ର ପରିଚୟ ଦେଇଛି। କିଟ୍ରେ ବିହାରର ପାରମ୍ପରିକ ଛତୁଆ, ମଖାନା, ଗୁଜରାଟର ପ୍ରସିଦ୍ଧ ହସ୍ତଶିଳ୍ପ ସହିତ ଭାରତର ବିବିଧ ସାଂସ୍କୃତିକ ରାନ୍ଧଣାଗତ ଦୃଶ୍ୟପଟ୍ଟର କିଛି ଉପାଦାନ ସ୍ଥାନ ପାଇଛି।
ନୂଆଦିଲ୍ଲୀ ସ୍ଥିତି ଭାରତ ମଣ୍ଡପମ୍ରେ ଆସନ୍ତା ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ। ଏଠାକୁ ଭାରତ ତଥା ବିଶ୍ୱର ନିମନ୍ତ୍ରିତ ସାମ୍ବାଦିକମାନେ ଆସୁଥିବା ବେଳେ ସେମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦେଶର ବିବିଧ ପରମ୍ପରା, ସ୍ଥାନୀୟ ଉତ୍ପାଦ ଏବଂ ହସ୍ତଶିଳ୍ପକୁ ମିଡିଆ କିଟ୍ରେ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ରାଜ୍ୟର ପ୍ରସ୍ତୁତ ପ୍ରସିଦ୍ଧ ଉତ୍ପାଦକୁ ସାମିଲ କରିବାକୁ ଏହା ଏକ ପ୍ରୟାସ। ଯେମିତି ଏହା ଭାରତର କାହାଣୀ ସହ ବିବିଧତାକୁ ପ୍ରଦର୍ଶନ କରିବ, ସେହିଭଳି ଭାବେ ତା’ର ପରିକଳ୍ପନା କରାଯାଇଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ସହଭାଗିତାରେ କୋରାପୁଟ କଫିର ବ୍ରାଣ୍ଡିଂ ସହ ତା’ର ସ୍ୱାଦ ଓ ବାସ୍ନାକୁ ଅନୁଭବ କରିବାର ସୁଯୋଗ ବି ସମ୍ମିଳନୀରେ ମିଳିବ । ତେବେ ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଭାରତ ତା’ର ବିବିଧତା, ନବସୃଜନ ଏବଂ ବିକାଶ କାହାଣୀକୁ ଉଜ୍ଜ୍ୱଳ କରିବା ପାଇଁ ଏଭଳି ଏକ ପରିକଳ୍ପନାକୁ ରୂପ ଦେଇଛି ।
