ଜମ୍ମୁ (ସତ୍ୟପାଠବ୍ୟୁରୋ): ଜମ୍ମୁ-କଶ୍ମୀରର ଉଧମପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ରାତିଅଧିଆ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଧମପୁର ଜିଲ୍ଲାର ମଜାଲ୍ଟା ଅଞ୍ଚଳର ବ୍ରାଟଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ପ୍ରକ୍ସି ସଂଗଠନ କାଶ୍ମୀର ଟାଇଗର୍ସ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଗୁଇନ୍ଦା ସୂଚନା ଆଧାରରେ ଜଙ୍ଗଲ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ଠାବ ହୋଇଥିଲା। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ବଡ଼ ଧରଣର ଘେରାଉ ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ପାରା ସ୍ପେଶାଲ୍ ଫୋର୍ସ, ଜମ୍ମୁ-କଶ୍ମୀର ପୋଲିସ ଏବଂ CRPF ମିଳିତ ଭାବେ ଏହି ଅପରେସନ୍‌ ଚଳାଇଥିଲେ ।
ତେବେ ତଲାସୀ ବେଳେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଥିଲା । ଖରାପ ପାଗ, ଦୁର୍ଗମ ଅଞ୍ଚଳ ଓ କମ୍‌ ଦୃଶ୍ୟମାନତା ସତ୍ତ୍ୱେ ଯବାନମାନେ ଅପରେସନ୍‌ ଜାରି ରଖିଥିଲେ । ଶେଷରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା ।

ଘଟଣାସ୍ଥଳରୁ ଦୁଇ ଆତଙ୍କବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ତେବେ ଜଙ୍ଗଲରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ସେନେଇ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଓ କମ୍ବିଂ ଅପରେସନ୍‌ ଏବେ ବି ଜାରି ରହିଛି। ଅତିରିକ୍ତ ଯବାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ମୁତୟନ କରାଯାଇଛି।