ଉଦଳା, (ସତ୍ୟପାଠବ୍ୟୁରୋ): ହଷ୍ଟେଲରେ ଅବ୍ୟବସ୍ଥା ନେଇ ତାତିଲେ ଛାତ୍ରଛାତ୍ରୀ। ଏନେଇ ୮ କିମି ଚାଲି ଚାଲି ଯାଇ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ହକ ପାଇଁ ହଷ୍ଟେଲ ଅନ୍ତେବାସୀଙ୍କ ଦାଣ୍ଡିଯାତ୍ରା।  କାହା ପାଦରେ ଚପଲ ନଥିଲା ତ ଆଉ କିଏ ଛୋଟେଇ ଛୋଟେଇ ଚାଲୁଥିଲା। ଅନ୍ତେବାସୀଙ୍କ ଅସୁବିଧା ଶୁଣିଲେନି ପ୍ରଧାନଶିକ୍ଷକ। ମିଳୁନି ମୌଳିକ ସୁବିଧା, ପାଠପଢ଼ାରେ ବି ହେଉଥିଲା ବଡ଼ ଅସୁବିଧା। ହଷ୍ଟେଲରେ ନା ବିଦ୍ୟୁତ ସୁବିଧା ଅଛି ନ ପିଇବା ପାଇଁ ପାଣି ରହିଛି। ତା ସାଙ୍ଗକୁ କୁନି କୁନି ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳର ଭାତ। ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ କର୍ଣ୍ଣପାତ କରୁନଥିଲେ। ସମସ୍ୟାର ସମାଧାନ କରିବା ତ ଦୂରେ ଥାଉ ଓଲଟା ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରାଯାଉଥିଲା। ଦୀର୍ଘ ୨ ମାସ ହେବ ସହି ସହି ଆସୁଥିଵା ଛାତ୍ରଛାତ୍ରୀ ସାହସ ଜୁଟାଇ ବାହାରି ପଡିଲେ ନିଜ ହକ ମାଗିବା ପାଇଁ। ସିଧା ରାସ୍ତାକୁ ଓହ୍ଲାଇଲେ ଆଉ ଦୀର୍ଘ ୮ କିଲୋମିଟର ଚାଲି ଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ଗଲେ। ରାଜ୍ୟରେ ଶିକ୍ଷା କ୍ଷେତ୍ର ପାଇଁ ସରକାର ଅନେକ ସୁବିଧା ଯୋଗାଉଥିବା ବେଳେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ଓ ଖାମଖିଆଲି ଗୁଣ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ବିପଦରେ ପକାଉଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବିଷିପୁର ଆଶ୍ରମ ବିଦ୍ୟାଳୟରେ। ଏହି ଆଶ୍ରମ ହଷ୍ଟେଲରେ ୨୫୦ ଛାତ୍ରୀ ରହୁଥିବା ବେଳେ ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଉର୍ଦ୍ଧ ହେବ ପାନୀୟ ଜଳ ଏବଂ ବିଦ୍ୟୁତ ସୁବିଧା ନାହିଁ। ଏହାସହିତ ସେମାନଙ୍କୁ ପୋକରା ଚାଉଳରେ ଭାତ ଖାଇବାକୁ ଦିଆଯାଉଥିଲା। ଏନେଇ ବାରମ୍ବାର ଅନ୍ତେବାସୀ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମେଟ୍ରୋନଙ୍କୁ ଅବଗତ କରିଥିଲେ। ଏପରିକି ମେଟ୍ରୋନ ଏ ବାବଦରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଲେ ମଧ୍ୟ ପ୍ରଧାନଶିକ୍ଷକ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିଲେ। ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସି ଅନ୍ତେବାସୀଙ୍କୁ ଗାଳିଗୁଲଜ କରୁଥିବା ଛାତ୍ରୀ କହିଛନ୍ତି। ତେଣୁ ଏହାର ସମାଧାନ ନ ହେବାରୁ ଶେଷରେ ଆଜି ଅନ୍ତେବାସୀ ହଷ୍ଟେଲରୁ ବାହାରି ଚାଲି ଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିଥିବା ଜଣାପଡିଛି। ଏହି ସମୟରେ ରାସ୍ତାରେ ସ୍ଥାନୀୟ ପୋଲି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାସୁଝା କରିଥିଲେ ବି ଛାତ୍ରଛାତ୍ରୀମାନେ ଶୁଣି ନଥିଲେ। ଏହାସହିତ ସମସ୍ୟାର ସମାଧାନ ନହେଲେ ୨୭ କିଲୋମିଟର ଦୂର ଜିଲ୍ଲାପାଳଙ୍କ ପାଖକୁ ଯିବାକୁ ଅଡ଼ି ବସିଛନ୍ତି।  ତେବେ  ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି।