ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ପୁନଃ ଗିରଫଦାରୀକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗିରଫର କାରଣ ଦର୍ଶାଇବାରେ ବିଫଳ ହେବା ଯୋଗୁଁ ଯଦି ଜଣେ ବ୍ୟକ୍ତିଙ୍କ ପ୍ରାରମ୍ଭିକ ଗିରଫଦାରୀକୁ ରଦ୍ଦ କରାଯାଇଥାଏ, ତେବେ ପୋଲିସ ତାଙ୍କୁ ପୁନର୍ବାର ଗିରଫ କରିବା ପୂର୍ବରୁ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନର ଧାରା ୨୨(୧) ଅନ୍ତର୍ଗତ ବ୍ୟକ୍ତିଗତ ସ୍ୱାଧୀନତାର ମୌଳିକ ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଜଷ୍ଟିସ୍ ଉଜ୍ଜଲ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଚାନ୍ଦୁରକରଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଜାରି କରାଯାଇଥିବା ମୁଖ୍ୟ ନିର୍ଦ୍ଦେଶାବଳୀ ଅନୁସାରେ ଯଦି ଲିଖିତ ଭାବେ ଗିରଫର କାରଣ ନ ଦେବା ଯୋଗୁଁ ପୂର୍ବ ଗିରଫଦାରୀକୁ ବେଆଇନ ଘୋଷଣା କରାଯାଇଥାଏ, ତେବେ ପୋଲିସ ସିଧାସଳଖ ଅଭିଯୁକ୍ତଙ୍କୁ ପୁଣି ହେପାଜତକୁ ନେଇପାରିବେ ନାହିଁ। ଏଥିପାଇଁ ସମ୍ପୃକ୍ତ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ କାରଣ ଦର୍ଶାଇ ଏକ ଆନୁଷ୍ଠାନିକ ଆବେଦନ କରିବାକୁ ହେବ। ଏହାସହିତ ପୁନର୍ବାର ଗିରଫ ପାଇଁ ଆବେଦନ କେବଳ ସେତେବେଳେ କରାଯାଇପାରିବ, ଯେତେବେଳେ ଅଭିଯୁକ୍ତ ବୁଝିପାରୁଥିବା ଭାଷାରେ ତାଙ୍କୁ ଗିରଫ କରିବାର ଲିଖିତ କାରଣ ଯୋଗାଇ ଦିଆସରିଥିବ। ଏହାସହିତ ପୁନର୍ବାର ଗିରଫ ପାଇଁ କରାଯାଉଥିବା ଆବେଦନରେ ପ୍ରଥମେ ବେଆଇନ ଗିରଫ କରିଥିବା ପୋଲିସ ଅଧିକାରୀଙ୍କ ସହ ଉପରିସ୍ଥ ଅଧିକାରୀଙ୍କ ସ୍ପଷ୍ଟ ସହମତି ବା ସ୍ୱୀକୃତି ରହିବା ଆବଶ୍ୟକ। କୌଣସି ପ୍ରକାରର ପକ୍ଷପାତିତା ବା ଅସଦାଚରଣକୁ ଏଡ଼ାଇବା ପାଇଁ, ମାଜିଷ୍ଟ୍ରେଟ୍ କେବଳ ସେତେବେଳେ ପୁନର୍ବାର ଗିରଫର ଅନୁମତି ଦେବେ ଯେତେବେଳେ ସମ୍ପୃକ୍ତ ମାମଲାର ତଦନ୍ତ ଭାର ଜଣେ ସମ୍ପୂର୍ଣ୍ଣ ଭିନ୍ନ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ପ୍ରଥମେ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରି ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ଉପରିସ୍ଥ କର୍ତ୍ତୃପକ୍ଷ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବେ। ଯଦି ତଦନ୍ତରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହା ତାଙ୍କ ସେବା ପୁସ୍ତିକାରେ ଲିଖିତ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଏହାସହିତ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଧାରା ୨୨(୧) ହେଉଛି ଏକ ଅଲଂଘନୀୟ ମୌଳିକ ଅଧିକାର ଏବଂ ଏହା ସମସ୍ତ ପ୍ରକାରର ଗିରଫଦାରୀ ଉପରେ ସମାନ ଭାବେ ଲାଗୁ ହେବ।