ପୁରୀ, (ସତ୍ୟପାଠବ୍ୟୁରୋ): କାନ୍ଦବୋବାଳିରେ ଫାଟି ପଡିଲା ସ୍ୱର୍ଗଦ୍ୱାର। ଏକସଙ୍ଗେ ଜଳିଉଠିଲା ୭ ଜୁଇ। ଯେଉଁମାନେ ହସିହସି ଘରୁ ତୀର୍ଥଯାତ୍ରା ପାଇଁ ବାହାରିଥିଲେ ମୃତଶରୀର ହୋଇ ଘରକୁ ଫେରିଲେ। ଆଜି ଭୋରରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ, ସମେତ ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା। ଏହାସହିତ ଶିବପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୂଖାଗ୍ନି ଦେଇଛନ୍ତି।
ମଧ୍ୟପ୍ରଦେଶରେ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଜୟଦେବ ବିହାରର ବନମାଳି ବେହେରାଙ୍କ ପରିବାରର ୭ ସଦସ୍ୟଙ୍କ ମୃତଦେହ ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ମଧ୍ୟପ୍ରଦେଶ ଆଗର-ମାଲୱା ଜିଲ୍ଲାର ରାଜସ୍ୱ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ଓ ଏକ ପୁଲିସ ଟିମ ୩ଟି ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ନେଇ ଆସିଥିଲେ। ଜୟଦେବ ବିହାରରୁ ଗାଡକଣ ଯାଏ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ ପ୍ରମୁଖ ସେଠାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ। ଆଉ ଶେଷରେ ମୃତକଙ୍କ ପାର୍ଥିବ ଶରୀରକୁ ସ୍ୱର୍ଗ ଦ୍ୱାର ନିଆଯାଇଥିଲା ଓ ସେଠାରେ ଏକାସାଙ୍ଗରେ ଜଳିଲା ୭ ଜୁଇ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ। ଅନ୍ୟପଟେ ଏହି ଘଟଣାରେ ପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା। ସୂଚନା ଫଳକ ଓ ବ୍ୟାରିକେଡ଼ିଂ ବ୍ୟବସ୍ଥା ନ ଥିବା ଯୋଗୁ ଏ ଦୁର୍ଘଟଣା ଘଟିଲା ବୋଲି ସେ କହିବା ସହ ଏ ନେଇ ସେ ପ୍ରଶାସନକୁ ଦାୟୀ କରିଛନ୍ତି।
