ନୂଆପଡ଼ା, (ସତ୍ୟପାଠବ୍ୟୁରୋ): ଖରିଆର ବନ ବିଭାଗ ଅଧୀନସ୍ଥ ଉଦ୍ୟାନବନ୍ଧ ବନ ରେଞ୍ଜରେ ଭିଜିଲାନ୍ସର ବନ ବିଭାଗ ଚଢ଼ଉ କରି କଲରା ପତରିଆ ବାଘ ଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ନୂଆପଡ଼ା ଜିଲ୍ଲା କୁମନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ। ଭିଜିଲାନ୍ସର ବନ ବିଭାଗ ଏକ ଟିମ ଖରିଆର ବନ ବିଭାଗ ଅଧୀନସ୍ଥ ଉଦ୍ୟାନବନ୍ଧ ବନ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ବନ୍ୟପ୍ରାଣୀ ସମ୍ବନ୍ଧୀୟ ମାମଲା ଧରାପଡ଼ିଥିଲା ଏବଂ ଗୋଟିଏ ବାଘ ଚମଡ଼ା ଜବତ କରାଯାଇଥିଲା। ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଧାରା ୯ର ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଘଟଣାସ୍ଥଳରୁ ଅଭିଯୁକ୍ତ ଇନାୟତ ଅଲ୍ଲୀଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ତଦନ୍ତ ଜାରି ରହିଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ।
