ଲକ୍ଷ୍ନୌ,(ସତ୍ୟପାଠ ବ୍ୟୁରୋ): ପୁଣି ଜୀବନ ନେଲା ଡିଜେ ସାଉଣ୍ଡ୍। ଭୟଙ୍କର ଶବ୍ଦରେ ହଠାତ୍ ଟଳିପଡ଼ିଲେ ୨ୟ ଶ୍ରେଣୀ ଛାତ୍ରୀ। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବଲରାମପୁର। ଏକ ଘରୋଇ ସ୍କୁଲ୍ର ପ୍ରଥମ ମହଲାରେ ଚାଲିଥିଲା କ୍ଲାସ୍। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବୈଷ୍ଣବୀ ତିୱାରୀ ଅନ୍ୟ ପିଲାଙ୍କ ସହ ହସି ଖେଳି କଥା ହେଉଥିଲେ। ଠିକ୍ ସେହି ସମୟରେ ସ୍କୁଲ୍ ବାହାର ରାସ୍ତାରେ ଯାଉଥିଲା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା। ସାଙ୍ଗରେ ଉଚ୍ଚଶବ୍ଦରେ ବାଜୁଥିବା ଡିଜେ। ସିସିଟିଭିରେ ଦେଖାଯାଉଛି, ଶବ୍ଦ ବଢ଼ିବା ସହ କିଛି ପିଲା ଝରକା ଓ କବାଟ ଆଡ଼କୁ ଦେଖୁଛନ୍ତି। ହେଲେ ଏହି ସମୟରେ ବୈଷ୍ଣବୀ ଅସୁସ୍ଥ ହୋଇ ଚେୟାରରେ ଟଳିପଡ଼ୁଛନ୍ତି।
ଶିକ୍ଷକମାନେ ତୁରନ୍ତ ତାଙ୍କୁ ତଳକୁ ଆଣି ହସ୍ପିଟାଲ୍ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଓ ସ୍କୁଲ୍ ପକ୍ଷରୁ ଦାବି ହୋଇଛି ଯେ, ଅତ୍ୟଧିକ ଡିଜେ ଶବ୍ଦ ଓ କମ୍ପନ ପରେ ଝିଅଟିର ଅବସ୍ଥା ବିଗିଡ଼ିଥିଲା। ତାକୁ ତିନିଥର ହୃଦଘାତ ହୋଇଥିବା ପରିବାର ଦାବି କରିଛି। ତେବେ ଡିଜେ ଶବ୍ଦ ହିଁ ମୃତ୍ୟୁର କାରଣ କି ନାହିଁ, ତାହା ଏଯାଏ ନିଶ୍ଚିତ ହୋଇନାହିଁ।
