ଭୁବନେଶ୍ୱର,(ସତ୍ୟପାଠବ୍ୟୁରୋ) : ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ବା ଆର୍ଥିକ ସୁରକ୍ଷାର ମାଧ୍ୟମ ନୁହେଁ, ବରଂ ଏହା ରାଜ୍ୟ ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ପ୍ରଶାସନିକ ସେବା (OAS)ର ୩୦ ଜଣ, ଓଡ଼ିଶା ରାଜସ୍ୱ ସେବା (ORS)ର ୪୨ ଜଣ, ଓଡ଼ିଶା ଅର୍ଥ ସେବା (OFS)ର ୪୬ ଜଣ, ଓଡ଼ିଶା ଟିକସ ଓ ହିସାବ ସେବା (OTAS)ର ୬୦ ଜଣ ଏବଂ ସମବାୟ ସେବା (OCS & OCAS)ର ୧୭ ଜଣ ଅଧିକାରୀ ସରକାରୀ ସେବାରେ ଯୋଗ ଦେଇଛନ୍ତି। ସରକାର ଗଠନର ମାତ୍ର ୨ ବର୍ଷ ୩ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ମାଧ୍ୟମରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ନିୟୋଜିତ କରାଯାଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ସେବା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଏକ ‘ପଞ୍ଚସୂତ୍ରୀ’ ମନ୍ତ୍ର ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ‘ଜନସେବା ହିଁ ମାଧବ ସେବା’, ତେଣୁ ନିଜକୁ ‘ଜନସେବକ’ ମନେକରି ସାଧାରଣ ଲୋକଙ୍କ ସେବା କରିବାକୁ ହେବ। ଦୁର୍ନୀତିକୁ କ୍ୟାରିୟର ପାଇଁ ବିଷ ସଦୃଶ ଗ୍ରହଣ କରିବାକୁ ଚେତାବନୀ ଦେଇ ସେ ସ୍ପଷ୍ଟ କରିଥିଲେ ଯେ ସରକାରଙ୍କ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିଛି ଏବଂ ଏଥିପାଇଁ ଭିଜିଲାନ୍ସ ବିଭାଗକୁ ସମ୍ପୂର୍ଣ୍ଣ ଖୋଲା ସ୍ୱାଧୀନତା ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନବନିଯୁକ୍ତଙ୍କୁ ନିଜ ନିଜ ବିଭାଗର ‘ରୋଲ୍ ମଡେଲ୍’ ଭାବେ ଭବିଷ୍ୟତର ଆଦର୍ଶ ରୂପେ ଗଢ଼ିଉଠିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଯୁବ ଅଧିକାରୀମାନେ ନୂତନ ଚିନ୍ତାଧାରା ଓ ସକାରାତ୍ମକ ଦୃଷ୍ଟିକୋଣ ନେଇ ପ୍ରଶାସନରେ ଯୋଗ ଦେଉଥିବାରୁ ସେମାନଙ୍କ ଆଚରଣ, ନିଷ୍ଠା ଓ ଉଚ୍ଚ ନୈତିକତା ହିଁ ବିଭାଗର ସୁନାମ ବୃଦ୍ଧି କରିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ସରକାରୀ ସେବାରେ ପ୍ରବେଶ କରିବା ପରେ ଏହି ପରିଶ୍ରମର ମୂଲ୍ୟ ରଖି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ବହି ପଢ଼ି ଦେଇଥିବା ପରୀକ୍ଷା ସରିଯାଇଛି ସତ, କିନ୍ତୁ କର୍ମ କ୍ଷେତ୍ରର ପରୀକ୍ଷା ଏବେ ଆରମ୍ଭ। ଆମର ଲକ୍ଷ୍ୟ କେବଳ ଚାକିରି ପାଇବା ନୁହେଁ। ଆମର ଲକ୍ଷ୍ୟ ହେବା ଉଚିତ୍ ଦେଶ ସେବା ଏବଂ ମାନବ ସେବା। ଚାକିରି ହେଉଛି ସେହି ଲକ୍ଷ୍ୟକୁ ପୂରଣ କରିବାର ଏକ ମାଧ୍ୟମ ମାତ୍ର, ଶେଷ ଲକ୍ଷ୍ୟ ନୁହେଁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ ଯେ, “ନୂତନ ଭାବେ ଯୋଗଦେଉଥିବା ଦକ୍ଷ ଓ ନିଷ୍ଠାପର ଅଧିକାରୀମାନଙ୍କ ଆଗମନ ଦ୍ୱାରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମୃଦ୍ଧ, କ୍ରିୟାଶୀଳ ଓ ସଶକ୍ତ ହେବ। ୮୧୪ ଜଣ ମେଡିକାଲ ଅଫିସର ଏବଂ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ଦ୍ୱାରା ଗ୍ରାମୀଣ, ଉପାନ୍ତ ଓ ଜନଜାତି ବହୁଳ ଅଞ୍ଚଳରେ ଡାକ୍ତରୀ ସେବାର ଅଭାବ ଦୂର ହେବ ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ
