ରାଉରକେଲା,(ସତ୍ୟପାଠବ୍ୟୁରୋ): ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର ଠକଙ୍କୁ ବିକ୍ରି କରୁଥିବା ଏକ ଆନ୍ତଃରାଜ୍ୟ ସାଇବର୍ ଅପରାଧ ସିଣ୍ଡିକେଟ ଠାବ କରିଛି ରାଉରକେଲା ପୋଲିସ। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରେଳବାଇ କଲୋନୀର ଶେଖ୍ ଅମନ୍ (୨୨), ଅନ୍ୟ ଜଣେ ଗାନ୍ଧୀ ରୋଡର ଯଶ ରାଜ୍ ସିଂ (୨୪)। ଉଭୟଙ୍କ ଠାରୁ ଏକ ସ୍କୁଟି, ମୋବାଇଲ ଫୋନ, ବହୁ ପରିମାଣର ମୋବାଇଲ୍ ସିମ କାଡ, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ନକଲି ବ୍ୟାଙ୍କ ଖାତା ପୋଲିସ ଜବତ କରିଛି। ଏହି ସିଣ୍ଡିକେଟରେ ୧୧ ଜଣ ସଦସ୍ୟ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ସାରା ଦେଶରେ ଏପରି ୨୮୨ ରୁ ଅଧିକ ଅର୍ଥନୈତିକ ଅପରାଧ ପଞ୍ଜୀକୃତ ହୋଇଛି। ଏହି କାରନାମାର ଚେର ଦିଲ୍ଲୀ ଯାଏ ଲମ୍ବିଛି। ନିଜର ସାଙ୍ଗସାଥୀ ତଥା ପାଖପଡ଼ୋ‌ଶୀଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ ଏମାନେ। ଆଉ ସେହି ଆକାଉଣ୍ଟ ଜରିଆରେ ସାଇବର ଠକ ସିଣ୍ଡିକେଟ୍‌ ଲକ୍ଷଲକ୍ଷ ଟଙ୍କା ନେଣଦେଣ କରୁଥିଲେ। ୧୫ ହଜାର ଟଙ୍କାରେ ଏଟିଏମ୍ କାର୍ଡ, ପାସ୍ ବୁକ୍, ସିମ କାର୍ଡ, ବ୍ୟାଙ୍କ  ଆକାଉଣ୍ଟ ସାଇବର୍ ଠକଙ୍କୁ ବିକ୍ରି ହେଉଥିଲା।ଏହି ଅପରାଧୀମାନେ ୨୦ ରାଜ୍ୟରୁ ଅଧିକ ସ୍ଥାନରେ ସକ୍ରିୟ ଅଛନ୍ତି। ଅପରାଧୀ ମାନେ ଆପାଠୁଆ, ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏହି ସାଇବର୍ ଠକ ସିଣ୍ଡିକେଟ ସଭ୍ୟ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ସମେତ ଅନ୍ୟ ରାଜ୍ୟରେ ବି ସକ୍ରିୟ ଅଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ।