ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ସାଧାରଣ ଜନତାଙ୍କ ଉପରେ ପଡ଼ିଛି ମହଙ୍ଗାମାଡ଼। ଅକ୍ଟୋବର ୧ ରୁ ବହୁ ନିୟମରେ ପରିବର୍ତ୍ତନ ହୋଇଛି। ଏଲପିଜି ସିଲିଣ୍ଡର ଦାମ୍, ବଡ଼ ଏଫଡି ଉପରେ ସୁଧ ହାର, ଏଟିଏମରୁ ଟଙ୍କା ଉଠାଣ, ଏନପିଏସ୍ ଚାର୍ଜ ଏବଂ ଏନଆରଆଇଙ୍କଠାରୁ ସମ୍ପତ୍ତି କିଣିବା ଉପରେ ଟିଡିଏସ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇଛି। ଘରୋଇ ଗ୍ରାହକଙ୍କୁ ଏଲପିଜି ବୁକିଂ ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଯେଉଁମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେନି ସେମାନେ ବଜାର ଦରରେ ଗ୍ୟାସ୍ କିଣିବେ। ଷ୍ଟେଟ୍ ବ୍ୟାଙ୍କର ନୂଆ ଏଟିଏମ୍ ଉଠାଣ ନିୟମ। ବେତନ ପ୍ୟାକେଜ୍ ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଉଠାଣ ସୀମା ମାସିକ ୧୦ ରୁ ୫କୁ ହ୍ରାସ। ମୌଳିକ ସଞ୍ଚୟ ଖାତାଧାରୀଙ୍କ ପାଇଁ ମାସକୁ ଚାରି ଥର ନିଃଶୁଳ୍କ ଉଠାଣ। ତାପରେ ପ୍ରତି ଥର ପାଇଁ ୧୫ ଟଙ୍କା ଶୁଳ୍କ ସହ ଜିଏସଟି। ଜାତୀୟ ପେନସନ୍ ବ୍ୟବସ୍ଥା (ଏନପିପିଏସ୍) ରେ ପଏଣ୍ଟସ୍ ଅଫ ପ୍ରେଜେନ୍ସ ସଦସ୍ୟଙ୍କ ଠାରୁ ସଂଗ୍ରହ କରୁଥିବା ଶୁଳ୍କରେ ସଂଶୋଧନ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଲକ ଡିପୋଜିଟ୍ ସୁଧ ଘୋଷଣା ନିୟମ ସଂଶୋଧନ କରାଯାଇଛି । ବ୍ୟାଙ୍କଗୁଡ଼ିକ ପ୍ରତିଦିନ ବ୍ୟବସାୟ ଦିବସର ପୂର୍ବାହ୍ନ ୧୦ଟା ୧୦ ସୁଦ୍ଧା ସୁଧ ଘୋଷଣା କରିବେ। ଅକ୍ଟୋବର ୧୫ ରୁ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବାଣିଜ୍ୟିକ ୟୁପିଆଇ ପେମେଣ୍ଟ ଉପରେ ୦.୪%ର ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ ହେବ। ହ୍ଵାଟସଆପ୍ ବିଜନେସ୍ ଆକାଉଣ୍ଟର କେତେକ ମେସେଜ୍ ଉପରେ ଶୁଳ୍କ ଲାଗିବ।
