ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) :  ଟିଏମସିର ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଚଳାଇବାକୁ ଅନୁମତି ଦେବା ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋଲକାତା ହାଇକୋର୍ଟରେ ଚାଲିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ଶୀର୍ଷକୋର୍ଟ ମନା କରିଛନ୍ତି । ଏହି ମାମଲାର ପୃଷ୍ଠଭୂମିକୁ ଦେଖିଲେ, ୨୦୨୬ ଜୁନ୍‌ରେ ଟିଏମସିର ବ୍ୟାଙ୍କ ଆକାଉଣ୍ଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିଦ୍ରୋହୀ ଟିଏମସି ବିଧାୟକ ବିଶ୍ୱନାଥ ଦାସଙ୍କ ଅଭିଯୋଗ ପରେ ବିଧାନନଗର ସାଇବର କ୍ରାଇମ୍ ପୋଲିସ ଏକ ଏଫଆଇଆର ରୁଜୁ କରିଥିଲା । ଅଭିଯୋଗରେ ଟିଏମସି ସହ ଜଡ଼ିତ କିଛି ଆକାଉଣ୍ଟକୁ ସନ୍ଦେହଜନକ ଅର୍ଥ ଆସିଥିବା ଦାବି କରାଯାଇଥିଲା । ପରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ମନି ଲଣ୍ଡରିଂ ତଦନ୍ତର ଅଂଶ ଭାବେ ଟିଏମସି ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିଲା । ରିପୋର୍ଟ ଅନୁସାରେ, ତିନୋଟି ଏଚଡିଏଫସି ଆକାଉଣ୍ଟରେ ପ୍ରାୟ ୪୪୦ କୋଟି ଟଙ୍କା ଥିବା ଦାବି ହୋଇଥିଲା । ଏହାପରେ ଟିଏମସି କଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଜୁଲାଇ ୯ରେ ହାଇକୋର୍ଟ ଏକ ଅନ୍ତରୀଣ ବ୍ୟବସ୍ଥା ଅନୁସାରେ ତିନୋଟି ଆକାଉଣ୍ଟରୁ ଦଳର ଦୈନନ୍ଦିନ ଏବଂ ଆଇନଗତ ଖର୍ଚ୍ଚ ପାଇଁ ସୀମିତ ଭାବେ ଟଙ୍କା ଉଠାଇବାର ଅନୁମତି ଦେଇଥିଲେ । ଜୁଲାଇ ୨୦ରେ କଲକାତା ହାଇକୋର୍ଟ ଇଡି ଦ୍ୱାରା ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଚଳାଇବା ପାଇଁ ଟିଏମସିକୁ ତତ୍କାଳ ଅନୁମତି ଦେଇନଥିଲେ । ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଅଗଷ୍ଟରେ ମଧ୍ୟ ସୁପ୍ରିମକୋର୍ଟ କଲକାତା ହାଇକୋର୍ଟର ଅନ୍ତରୀଣ ବ୍ୟବସ୍ଥାରେ ହସ୍ତକ୍ଷେପ କରିନଥିଲେ ଏବଂ ପକ୍ଷମାନଙ୍କୁ ନିଜ ନିଜ ଆପତ୍ତି ହାଇକୋର୍ଟରେ ଉଠାଇବାକୁ କହିଥିଲେ । ଏବେ ଅକ୍ଟୋବର ୧ରେ ପୁଣି ଏହି ମାମଲାରେ ସୁପ୍ରିମକୋର୍ଟ ଟିଏମସିର ଆବେଦନ ଖାରଜ କରିଛନ୍ତି । ଫ୍ରିଜ୍ ହୋଇଥିବା ଚାରିଟି ବ୍ୟାଙ୍କ ଆକାଉଣ୍ଟ ଚଳାଇବାକୁ ଅନୁମତି ଦେବା ପାଇଁ ଟିଏମସି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି।