ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): UPI ପେମେଣ୍ଟରେ ଲାଗିବାକୁ ଥିବା MDR ଚାର୍ଜ ବିରୋଧରେ ଅକ୍ଟୋବର ୨ ତାରିଖରେ ‘No UPI Day’ ପ୍ରତିବାଦ କରାଯାଉଛି। ବ୍ୟବସାୟୀମାନେ କଳା କପଡ଼ାରେ ନିଜର QR ସ୍କାନରକୁ ଢାଙ୍କି ଦେଇଛନ୍ତି। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଚାର୍ଜ ଲାଗିବ। ତେବେ ଏହି ଚାର୍ଜ ବ୍ୟବସାୟୀଙ୍କ ଉପରେ ଲାଗିବାକୁ ଥିବାବେଳେ, ସେପ୍ଟେମ୍ବର ମାସର UPI ତଥ୍ୟ କହୁଛି ଯେ ଲୋକେ ଏବେ ଏହି ତୁରନ୍ତ ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥାଠାରୁ ଦୂରେଇ ଯାଉଛନ୍ତି। ସେପ୍ଟେମ୍ବରରେ UPI ଟ୍ରାଞ୍ଜାକ୍ସନ୍ ୨୪ ବିଲିୟନରୁ ଅଧିକ ରହିଥିଲେ ମଧ୍ୟ ଏଥିରେ ୧.୮ ପ୍ରତିଶତ ହ୍ରାସ ଘଟିଛି। NPCI ତଥ୍ୟ ଅନୁସାରେ, ଅଗଷ୍ଟରେ UPI ଜରିଆରେ ୨,୪୫୦ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିବା ବେଳେ ସେପ୍ଟେମ୍ବରରେ ଏହା ୨,୪୦୭ କୋଟିକୁ ହ୍ରାସ ପାଇଛି। UPI ଟ୍ରାଞ୍ଜାକ୍ସନର ମୋଟ ମୂଲ୍ୟରେ ମଧ୍ୟ ୧.୫୦ ପ୍ରତିଶତ ହ୍ରାସ ଘଟିଛି। ଅଗଷ୍ଟରେ ଏହା ୨୯.୮୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ସେପ୍ଟେମ୍ବରରେ ଏହା ୨୯.୩୭ ଲକ୍ଷ କୋଟି ଟଙ୍କାକୁ ଖସିଛି।
