ସମ୍ବଲପୁର, (ସତ୍ୟପାଠ ବ୍ୟୁରୋ): ଶିଳ୍ପାଞ୍ଚଳରେ ଉତ୍ପାଦନ ଓ ବିକାଶ ଯେତିକି ଜରୁରୀ, ଶ୍ରମିକଙ୍କ ଜୀବନ ଓ ସୁରକ୍ଷା ତା’ଠାରୁ ଅଧିକ ଜରୁରୀ। କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଘଟୁଥିବା ଦୁର୍ଘଟଣା ଓ ମୃତ୍ୟୁର ପ୍ରତ୍ୟେକ ଘଟଣାର ସଠିକ୍ ତଥ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ଶ୍ରମିକଙ୍କ ଜୀବନ ସହ ଖେଳାଯାଉଥିବାବେଳେ ଏନେଇ କଡ଼ା ଆଇନ ଆସିବା ଜରୁରୀ ହୋଇ ପଡ଼ିଛି। ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ନିକଟରେ ଦେଇଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷର ପ୍ରଥମ ୯ ମାସ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୧୪ରେ ପଣ୍ଡଲୋଇପ୍ରିତ ଶ୍ୟାମ ମେଟାଲିକ୍ସରେ କାର୍ଯ୍ୟରତ ହରିୟାଣାର ପ୍ରବାସୀ ଶ୍ରମିକ ସଞ୍ଜୟ ପ୍ରାୟ ୮ ଫୁଟ୍ ଉଚ୍ଚରୁ ଖସି ଗୁରୁତର ଆହତ ହୋଇଥିଲେ। ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଅଇଁଠାପାଲି ଥାନାରେ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ ହୋଇଥିଲା। ଘଟଣାର ପ୍ରାୟ ୩ ଦିନ ପରେ ମଧ୍ୟ ଏ ସମ୍ପର୍କରେ ବିଭାଗ ଅବଗତ ନଥିବା ସହକାରୀ ନିର୍ଦ୍ଦେଶକ କହିଥିବା ଜଣାପଡ଼ିଥିଲା। ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଯାହାକୁ ନେଇ ବିଭାଗୀୟ ରିପୋର୍ଟିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସେହିପରି ୯ ମାସରେ ବିଭିନ୍ନ କାରଖାନାରେ କାର୍ଯ୍ୟରତ ୫ ଶ୍ରମିକଙ୍କ ଦୁର୍ଘଟଣାରେ ପ୍ରାଣହାନୀ ହୋଇଛି। ୨୦୨୩ରେ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଚନ୍ଦନିମାଲର ମନ୍ଦାକିନୀ ମିର୍ଦ୍ଧାଙ୍କର କାର୍ଯ୍ୟରତ ଅବସ୍ଥାରେ ଜଳିଯାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଥିଲା। ତେବେ ବିଭାଗୀୟ ଶ୍ରମିକ ମୃତ୍ୟୁ ତାଲିକାରେ ଏହା ସ୍ଥାନ ପାଇନଥିବା ଅଭିଯୋଗ ରହିଛି। ଏହାବ୍ୟତୀତ ତବଡ଼ାବାହାଲ ଗ୍ରାମପଞ୍ଚାୟତର କୁଶ ବଢ଼େଇ, ବାମୁପାଲିର ଜନପତି ଭୋଇ, ରବୀନ୍ଦ୍ର ସାହୁ ଏବଂ କତରବଗାର ଲକ୍ଷପତି ଖମାରୀଙ୍କ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପରିଷଦ ସଦସ୍ୟ ଦେବନାରାୟଣ ତିୱାରୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ହେବା ଆବଶ୍ୟକ। ସମ୍ବଲପୁର ଜିଲ୍ଲାର ବିଭିନ୍ନ କାରଖାନାରେ ସ୍ଥାନୀୟ ଶ୍ରମିକଙ୍କ ସହ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ଶ୍ରମିକଙ୍କ ସୁରକ୍ଷା ଉପକରଣ, କାର୍ଯ୍ୟସ୍ଥଳର ସୁରକ୍ଷା ମାନଦଣ୍ଡ, ନିୟମିତ ନିରୀକ୍ଷଣ, ଦୁର୍ଘଟଣା ପରବର୍ତ୍ତୀ ତଦନ୍ତ ଏବଂ ମୃତ୍ୟୁର ସଠିକ୍ ରିପୋର୍ଟିଂ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। କାରଖାନାରେ ଦୁର୍ଘଟଣା ଘଟିବା ପରେ ମାମଲା ରୁଜୁ କିମ୍ବା କ୍ଷତିପୂରଣ ଦେବା ମାତ୍ର ଯଥେଷ୍ଟ ନୁହେଁ। ଦୁର୍ଘଟଣାର ମୂଳ କାରଣ କ’ଣ, ସୁରକ୍ଷା ନିୟମ ପାଳନ ହୋଇଥିଲା କି ନାହିଁ, ପୂର୍ବରୁ ନିରୀକ୍ଷଣ ହୋଇଥିଲା କି ନାହିଁ ଏବଂ ଦାୟୀ ବ୍ୟକ୍ତି କିଏ?ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ସମ୍ବଲପୁର ଜିଲ୍ଲାରେ ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ସମସ୍ତ ଶିଳ୍ପ ଦୁର୍ଘଟଣା ଓ ଶ୍ରମିକ ମୃତ୍ୟୁର ଏକ ସମଗ୍ର ତାଲିକା ପ୍ରସ୍ତୁତ କରିବାକୁ ଦାବି ହେଉଛି। ପୋଲିସ ମାମଲା, ହସ୍ପିଟାଲ ରେକର୍ଡ, ଫ୍ୟାକ୍ଟ୍ରି ରିପୋର୍ଟ ଏବଂ ବିଭାଗୀୟ ରେକର୍ଡକୁ ପରସ୍ପର ମିଳାଇ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ। ତେଣୁ ଦୁର୍ଘଟଣା ଘଟିବା ପରେ ନୁହେଁ, ଦୁର୍ଘଟଣା ଯେପରି ନଘଟେ ସେଥିପାଇଁ ନିରୀକ୍ଷଣ, ଉତ୍ତରଦାୟୀ ଓ ସ୍ୱଚ୍ଛତାକୁ ଶିଳ୍ପ ସୁରକ୍ଷା ବ୍ୟବସ୍ଥାର ମୂଳ ଆଧାର କରିବା ଆବଶ୍ୟକ।