ସମ୍ବଲପୁର(ସତ୍ୟପାଠବ୍ୟୁରୋ) : ପବିତ୍ର ମହାଳୟା ଅବସରରେ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ। ପ୍ରତିବର୍ଷ ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି ମାଆ । ମଧ୍ୟରାତ୍ରିରୁ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇ ଭୋର ସମୟରେ ଧବଳମୁଖୀ ବେଶ ସମ୍ପନ୍ନ ହୋଇଛି । ଧବଳମୁଖୀ ବେଶକୁ ଗଙ୍ଗା ଦର୍ଶନ ବୋଲି ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି ଯେ, ଏହି ଦିନ ମାଆଙ୍କୁ ଦର୍ଶନ କଲେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ସହ ସମାନ ପୁଣ୍ୟଫଳ ମିଳିଥାଏ ଏବଂ ଭକ୍ତକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଆଜି ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୪ଟାରୁ ଦର୍ଶନ ଆରମ୍ଭ ହୋଇଛି ।
