ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ପୂର୍ବତନ ବିଧାୟକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ପୁରୁଣା ବିବାଦ କାରଣରୁ ରାଜସ୍ଥାନର ଭରତପୁର ଜିଲ୍ଲାରେ ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ପଥର କ୍ରଶରକୁ ନେଇ ଅତର ସିଂହଙ୍କୁ ହତ୍ୟା କରାଯାଇଥିବା ସୋମବାର ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ, ଅତର ସିଂହ ଭୋଣ୍ଡା ଗାଁ ନିକଟରେ ଥିବା କ୍ରଶରକୁ ଯାଇଥିଲେ । କ୍ରଶରକୁ ଯାଇଥିବା ବେଳେ ଅତର ସିଂହ ଓ ତାଙ୍କ ସହଯୋଗୀ ଗଗନ ଶର୍ମାଙ୍କୁ ଗ୍ରାମବାସୀ ପଥର ଫିଙ୍ଗିବା ସହ ଠେଙ୍ଗାରେ ପିଟିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ଅତର ସିଂହଙ୍କୁ ଜୟପୁର ଏସଏମଏସ୍ ହସ୍ପିଟାଲ୍‌କୁ ରେଫର୍ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅତର ସିଂହ ଆଖି ବୁଜିଛନ୍ତି । ଅତରଙ୍କ ସହଯୋଗୀ ଗଗନଙ୍କ ଚିକିତ୍ସା ଏବେ ଭରତପୁର ହସ୍ପିଟାଲ୍‌ରେ ଚାଲିଛି । ପୋଲିସ ଅନୁସାରେ, ଅତର ସିଂହ ଗାଁର କିଛି ଜମିକୁ ଅବୈଧ ଭାବେ ଅକ୍ତିଆର୍ କରି ବେଆଇନ୍ ପଥର କ୍ରଶର ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ପ୍ରାୟ ବର୍ଷେ ହେଲା ଉକ୍ତ ପଥର କ୍ରଶର ବନ୍ଦ ରହିଥିବା ବେଳେ ଅତର ସିଂହ ତାହାକୁ ପୁଣି ଖୋଲିବାକୁ ପ୍ରୟାସ କରୁଥିଲେ । ତେବେ ପ୍ରଥର କଶର ପୁଣି ଖୋଲାଯିବା ପ୍ରସ୍ତାବକୁ ବିରୋଧ କରି ଆସୁଥିଲେ ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀ ୧୦ରୁ ୧୫ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରି ଆସୁଥିଲେ । ତେବେ ରବିବାର ସନ୍ଧ୍ୟାରେ ଅତର ସିଂହ ୪୦ରୁ ୫୦ ଲୋକଙ୍କୁ ନେଇ ଆସିବା ସହ ପଥର କ୍ରଶର ସାଇଟ୍‌ରୁ ଲୋକଙ୍କୁ ହଟାଇବାକୁ ପ୍ରୟାସ କରିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପ୍ରକାଶ ଯେ, ଭରତପୁରର ବୟାନା ଆସନରୁ ୨୦୦୩ରେ ଅତର ସିଂହ ବିଜେପି ଟିକେଟ୍‌ରେ ନର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୦୩ରେ ବିଧାୟକ ହେବା ପରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ୍ ହୋଇଥିଲେ । ରାଜନୀତିରେ ସକ୍ରିୟ ରହିବା ସହ ଅତର ସିଂହ ଖଣି ଓ ପଥର କ୍ରଶର ବ୍ୟବସାୟ ସହ ଜଡ଼ିତ ଥିଲେ।