ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଚାଷୀଙ୍କ ପରିଶ୍ରମ ଯେତେବେଳେ ଯବାନଙ୍କ ଶକ୍ତିରେ ପରିଣତ ହୁଏ, ସେତେବେଳେ ଦେଶର ସୁରକ୍ଷା ଆହୁରି ମଜଭୁତ ହୁଏ। ଏହି ଭାବନାକୁ ଆଧାର କରି ଭାରତୀୟ ସେନା ପାଇଁ ‘ଭାରତ ରାଇସ୍’ ଲଞ୍ଚ କରାଯାଇଛି। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ସେନା ଏବଂ ଭାରତୀୟ ଖାଦ୍ୟ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଆବଶ୍ୟକ ସମୟରେ ସେନାର ଯୋଗାଣ ବ୍ୟବସ୍ଥା ପାଇଁ ଏଫସିଆଇର ଗୋଦାମ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟବହାର କରାଯାଇପାରିବ। ଏହା ସେନାର ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଏହି ବ୍ୟବସ୍ଥାରେ ‘ଭାରତ ରାଇସ୍’ ସିଧାସଳଖ ସେନାର ଯୋଗାଣ ଡିପୋରେ ପହଞ୍ଚିବ। ଏଥିରେ ଲଦାଖ ଏବଂ ଉତ୍ତର-ପୂର୍ବାଞ୍ଚଳରେ ଥିବା ସେନା ଡିପୋଗୁଡ଼ିକ ମଧ୍ୟ ସାମିଲ ହେବ। ଫଳରେ ସେନାର ବିଭିନ୍ନ ୟୁନିଟ୍କୁ ଚାଉଳ ସଂଗ୍ରହ ପାଇଁ ସ୍ଥାନୀୟ ଏଫସିଆଇ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ । କାର୍ଯ୍ୟକ୍ରମରେ ରାଜନାଥ ସିଂହ କହିଥିଲେ, ‘ଭାରତ ରାଇସ୍’ର ଶୁଭାରମ୍ଭ କେବଳ ଚାଉଳ ସହ ଜଡ଼ିତ ନୁହେଁ । ଏହା ଚାଷୀଙ୍କ କ୍ଷେତରୁ ଆରମ୍ଭ ହୋଇ ଯବାନଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚୁଥିବା ବିଶ୍ୱାସର ଏକ ସମ୍ପର୍କ । ଚାଷୀ ନିଜ ପରିଶ୍ରମରେ ଦେଶବାସୀଙ୍କ ପେଟ ଭରୁଥିବା ବେଳେ ଯବାନ ସୀମାରେ ରହି ଦେଶର ସୁରକ୍ଷା କରୁଛନ୍ତି । ଏହି ଦୁଇ ବର୍ଗଙ୍କ ଲକ୍ଷ୍ୟ ହେଉଛି ରାଷ୍ଟ୍ରକୁ ଶକ୍ତିଶାଳୀ କରିବା। ଏହା ‘ଜୟ ଯବାନ, ଜୟ କିଷାନ’ର ଭାବନାକୁ ସାକାର କରୁଛି ବୋଲି ସେ କହିଥିଲେ । ସେନା ଓ ଏଫସିଆଇ ମଧ୍ୟରେ ହୋଇଥିବା ଏହି ରଣନୈତିକ ସହଯୋଗ ଦ୍ୱାରା ଖାଦ୍ୟଶସ୍ୟ ଯୋଗାଣ ସହଜ ହେବା ସହ ଜାତୀୟ ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି ।
