ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): କୋକ୍ରୋଚ ଜନତା ପାର୍ଟିକୁ ଲାଗିଛି ବଡ଼ ଝଟକା। ଏଣିକି ରାଜଧାନୀ ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଆଉ କରିପାରିବେନି ବିକ୍ଷୋଭ ପ୍ରଦର୍ଶନ। ପ୍ରତିବାଦ ଉପରେ ଲାଗିଲା କଟକଣା । ଏଣିକି ଦିଲ୍ଲୀର ଅନ୍ୟ ୩ଟି ସ୍ଥାନରେ ପ୍ରତିବାଦ ପାଇଁ ସରକାର ସ୍ଥିର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟିର ସୁପାରିସ ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ନୂଆ ବିଜ୍ଞପ୍ତି ଆଧାରରେ ଦିଲ୍ଲୀର ୩ଟି ସ୍ଥାନରେ ଆନ୍ଦୋଳନ, ପ୍ରତିବାଦ ପାଇଁ ସ୍ଥିର କରାଯାଇଛି । ଦିଲ୍ଲୀର ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦିଆଯାଇ ପାରିବ । ଏହି ୩ ସ୍ଥାନରେ ଧାରଣା, ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ଆସିବ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦିଲ୍ଲୀବାସୀଙ୍କୁ ଭିଡ଼ରୁ ଆଶ୍ଵସ୍ତି ମିଳିବ । କାରଣ ଦିଲ୍ଲୀର ମଝି ଭାଗରେ ଥିବା ଜନ୍ତର-ମନ୍ତରରେ ପ୍ରତିବାଦ ଯୋଗୁଁ ପ୍ରଭାବ ଆଖପାଖ ଅଞ୍ଚଳରେ ପଡ଼ୁଥିଲା । ଟ୍ରାଫିକ୍ ଆଡଭାଇଜାରି ପରେ ଲୋକେ ସମସ୍ୟାରେ ପଡ଼ୁଥିଲେ । ନିକଟରେ ବଡ଼ ହସ୍ପିଟାଲ୍ ଓ ସ୍କୁଲ୍ ମଧ୍ୟ ରହିଛି । ପ୍ରତିବାଦ ଯୋଗୁଁ ସେଠାରେ ସେବା ଓ ଶିକ୍ଷାଦାନ ପ୍ରଭାବିତ ହେଉଥିଲା । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି , କଂଗ୍ରେସ ସହ ଇଣ୍ଡି ମେଣ୍ଟ ପକ୍ଷରୁ ଆନ୍ଦୋଳନ ଚାଲିଥିବାବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ବିକ୍ଷୋଭ ପ୍ରଦର୍ଶନ ସ୍ଥାନ ତାଲିକାରୁ ଜନ୍ତରମନ୍ତରକୁ ହଟାଇ ଦିଆଯାଇଛି। ପ୍ରାୟ ୩୩ ବର୍ଷ ଧରି ଦିଲ୍ଲୀର ଜନ୍ତରମନ୍ତର ବିକ୍ଷୋଭ ପ୍ରଦର୍ଶନ ସ୍ଥାନ ଭାବରେ କାର୍ଯ୍ୟ କରି ଆସୁଥିଲା। ଏହା ପୂର୍ବରୁ ଇଣ୍ଡିଆ ଗେଟ ସ୍ଥିତ ବୋଟ କ୍ଲବ ପ୍ରଦର୍ଶନ ସ୍ଥାନ ଥିଲା। ଅନ୍ୟପଟେ ଦିଲ୍ଲୀ ପୋଲିସକୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ ୨୪ ଘଣ୍ଟିଆ ଅଲ୍ଟିମେଟମ ଦିଆଯାଇଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସିଜେପି ମୁଖ୍ୟ ମୁଖପାତ୍ର। ପୋଲିସ ସବୁବେଳେ କହୁଛି ଅନୁମତି ପାଇଁ ୧୦ ଦିନ ଆଗରୁ ଜଣାଅ। ତେଣୁ ଆମେ ଦିଲ୍ଲୀ ପୋଲିସକୁ ତାରିଖ ଓ ସମୟ ସ୍ଥିର ପାଇଁ କହିଛୁ। ଆମେ ତାରିଖ ସ୍ଥିର କରିନୁ , ସେମାନଙ୍କୁ ଜଣାଇବା ପାଇଁ ୨୪ ଘଣ୍ଟା ଦେଇଛୁ ବୋଲି ସିଜେପି ପକ୍ଷରୁ କୁହାଯାଇଛି।
