(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନନ୍ଦିଘୋଷ ଟିଭି ରାଜ୍ୟ ମିଡିଆ ପରିବାରର ସବୁଠାରୁ ନୂଆ ଆଉ ଛୁଆ ସଦସ୍ୟ । ଗତ ଫେବ୍ରୁଆରି 13 ତାରିଖରେ ଏହି ଫ୍ରି-ଟୁ-ଏୟାର ଓଡ଼ିଆ ନ୍ୟୁଜ ଚ୍ୟାନେଲର ଲୋକାର୍ପଣ ଉତ୍ସବ ଥିଲା । 13 ତାରିଖର ଲଞ୍ଚିଙ୍ଗ୍ ସେରିମନି ପରଠାରୁ ନନ୍ଦିଘୋଷ ଟିଭିକୁ ନେଇ ମିଡିଆ ଇଣ୍ଡଷ୍ଟ୍ରୀ ଭିତରେ ଓ ବାହାରେ ଗୋଟିଏ ପ୍ରଶ୍ନକୁ ନେଇ ଜୋର ଚର୍ଚ୍ଚା । ସେ ପ୍ରଶ୍ନଟି ହେଉଛି ବାସ୍ତବରେ ନନ୍ଦିଘୋଷ ଟିଭିର ମାଲିକ କିଏ ? ଅବସ୍ୟ ଗୋଟିଏ ଟ୍ରଷ୍ଟ ହେଉ ବା କମ୍ପାନିଟିଏ ରେଜେଷ୍ଟ୍ରୀ କରାଯାଇ ଏହି ଟିଭିକୁ ଚଲାଯାଉଥିବ କିନ୍ତୁ ସାଧାରଣତଃ ମିଡିଆ ସଂସ୍ଥାର ଲୋକାର୍ପଣ ଉତ୍ସବରେ ସଂସ୍ଥାର ମାଲିକ ବା ପରିବାରର ସଦସ୍ୟଙ୍କୁ ମଞ୍ଚରେ ଦେଖିବାକୁ ମିଳିଥାଏ । ଯାହାକି 13 ତାରିଖ ନନ୍ଦିଘୋଷ ଟିଭିର ଲଞ୍ଚିଙ୍ଗ୍ ସେରିମନିରେ ଦେଖିବାକୁ ମିଳିନଥିଲା ।


ମଞ୍ଚରେ ଜଣେ ବ୍ୟକ୍ତି ଯାବର ସିଂହ ପାନୱାର ବସିଥିଲେ । ଯିଏକି ଏବେ ନନ୍ଦିଘୋଷ ଟିଭିରେ ସିଇଓ ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଛନ୍ତି । ତାଙ୍କ ବ୍ୟତିତ ଆଉ ମ୍ୟାନେଜମେଣ୍ଟର କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ମିଳିନଥିଲା । ଯେହେତୁ ଯାବର ସିଂହ ସିଏମ୍ଡି ନୁହନ୍ତି, ଡାଇରେକ୍ଟର ନୁହନ୍ତି ବା ପ୍ରମୋଟର ନୁହନ୍ତି ତେଣୁ ମଞ୍ଚ ଉପରେ ଆଉ ମଞ୍ଚ ତଳେ ବସିଥିବା ଲୋକଙ୍କର ଆଖି ଘୁରିବୁଲିଥିଲା ଯେ ବାସ୍ତବରେ ନନ୍ଦିଘୋଷ ଟିଭିର ମାଲିକ କିଏ ?

ଅନ୍ୟପଟେ ଲୋକାର୍ପଣ ଉତ୍ସବରେ ଶାସକ ବିଜୁ ଜନତା ଦଳର ବହୁ ମନ୍ତ୍ରୀ, ବିଧାୟକ, ଆଗ ଧାଡ଼ିର ନେତା ଓ ପ୍ରବକ୍ତାମାନଙ୍କର ଭରପୁର ଉପସ୍ଥାନ, ମାଲିକ କିଏ ପ୍ରସଙ୍ଗକୁ ଆହୁରି ରହସ୍ୟଜନକ କରିଥିଲା । ପ୍ରାୟ ଅଧିକାଂଶଙ୍କର ପ୍ରଶ୍ନ ଥିଲା ଯେ ନନ୍ଦିଘୋଷ ଟିଭିର ମାଲିକ ବାସ୍ତବରେ କିଏ ? ସେ ବାବୁ ଓଡ଼ିଶାର ନା ଓଡ଼ିଶା ବାହାରର ? ଯେତେବେଳେ ମାଲିକଙ୍କର ଦେଖା ନାହିଁ, ସେତେବେଳେ କାହା ନିର୍ଦ୍ଦେଶରେ ଆଉ କାହା ଡାକରାରେ ଶାସକ ବିଜୁ ଜନତା ଦଳର ନେତା ବିଧାୟକ ଓ ମନ୍ତ୍ରୀ ହୋଲସେଲ୍ରେ ଉପସ୍ଥାନ ଦେଇଥିଲେ । ବିଜେଡି ନେତାଙ୍କର ଏତେ ସଂଖ୍ୟକ ଉପସ୍ଥାନ ନିଶ୍ଚିତ ଭାବରେ ଏକ ସାଧାରଣ ଘଟଣା ନଥିଲା । କାରଣ ମିଡିଆ ସଂସ୍ଥାର ଦମ୍ ଓ ମାଲିକଙ୍କର ପତିଆରା ଆଉ ପି.ଆର. ଅନୁପାତରେ ହିଁ ଶାସକ ଦଳର ନେତା ମନ୍ତ୍ରୀଙ୍କ ଉପସ୍ଥାନ ନିର୍ଭର କରିଥାଏ ।









