(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ର ରାଷ୍ଟ୍ରୀୟ ସଭାପତି ଚୌଧୁରୀ ଅଜିତ ସିଂଙ୍କ ଗୁରୁବାର ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। କରୋନା ସଂକ୍ରମଣ ହେତୁ ଚୌଧୁରୀ ଅଜିତ ସିଂ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଅଜିତ ଉତ୍ତର ପ୍ରଦେଶର ବାଗପତ ଆସନରୁ ୭ ଥର ସାଂସଦ ଥିଲେ । ମନମୋହନ ସିଂ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ଚୌଧୁରୀ ଅଜିତ ସିଂ। ସେ 22 ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ଏବଂ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟୁଇଟ କରି ଲେଖିଛନ୍ତି, ” ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂ ଜୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ ସବୁବେଳେ କୃଷକଙ୍କ ସ୍ୱାର୍ଥ ପ୍ରତି ଉତ୍ସର୍ଗୀକୃତ ଥିଲେ। ସେ କେନ୍ଦ୍ରରେ ଅନେକ ବିଭାଗର ଦାୟିତ୍ବକୁ ଦକ୍ଷତାର ସହିତ ତୁଲାଇଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । “