ଶରଦ ପାୱାରଙ୍କ ସହ ସ୍ବର ମିଶାଇଲେ ତେଜସ୍ବୀ ଯାଦବ – ” କଂଗ୍ରେସ ବିନା ବିରୋଧୀ ମେଣ୍ଟ କଳ୍ପନା ଅସମ୍ଭବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଜାତୀୟ ସ୍ତରରେ ଵିରୋଧୀ ଦଳ ଏବେ ସକ୍ରିୟ ଥିବା ଦେଖାଯାଉଛି। ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧୀ ଦଳ ନେତାଙ୍କ ବୈଠକ ଏବଂ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତକାରକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ଏସବୁ ମଧ୍ୟରେ, ଯେତେବେଳେ ନିକଟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଟିଏମସି ନେତା ଯଶବନ୍ତ ସିହ୍ନାଙ୍କ ନେତୃତ୍ୱରେ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳର ଏକ ବୈଠକ ଡକାଯାଇଥିଲା କିନ୍ତୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଥିରେ ଭାଗ ନେଇ ନଥିଲା। ସେତେବେଳେ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଥିଲା ଯେ ବିରୋଧୀ ଦଳ କଂଗ୍ରେସକୁ ଅଲଗା କରି ଏକ ‘ତୃତୀୟ ସାମ୍ମୁଖ୍ୟ’ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହି କଳ୍ପନାଜଳ୍ପନା ମଧ୍ୟରେ ଶରଦ ପାୱାର ପ୍ରଥମେ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ପରିକଳ୍ପନା ଅସମ୍ଭବ। ବର୍ତ୍ତମାନ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟର ପରିକଳ୍ପନା କରାଯାଇ ପାରିବ ନାହିଁ। ବିଜେପି ସହ ଲଢ଼େଇ କରିବାକୁ ହେଲେ ମେଣ୍ଟରେ କଂଗ୍ରେସ ରହିବା ଜରୁରୀ ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏପରି ଏକ ଦଳ ଯାହାର ସାରା ଦେଶରେ ସଂଗଠନ ରହିଛି। କଂଗ୍ରେସ ଏହି ବିରୋଧୀ ଗଠବନ୍ଧନର ମୂଳ ଭାବେ କାମ କରିବ। କାରଣ ଲୋକସଭାର ୫୪୩ଟି ଆସନରୁ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରାୟ ୨୦୦ଟି ଆସନରେ ସିଧାସଳଖ ଲଢ଼େଇ ହେବ। କିନ୍ତୁ ଯେଉଁଠି ଆଞ୍ଚଳିକ ଦଳ ଶକ୍ତିଶାଳୀ ଅଛନ୍ତି , ସେଠାରେ ସେମାନେ ଆସନ ବଦଳାଇ ପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୟ ଗଡ଼ି ଯାଉଛି ତେଣୁ ବିଜେପି ବିରୋଧରେ ଗଠବନ୍ଧନ ପାଇଁ ଏବେ ଠାରୁ ପ୍ରୟାସ କରାଯିବା ଉଚିତ। କିନ୍ତୁ କଂଗ୍ରେସ ବିନା କୌଣସି ମେଣ୍ଟର ପରିକଳ୍ପନା କରିବା ଅସମ୍ଭବ ବୋଲି ସେ କହିଛନ୍ତି। ତେବେ ଗଠବନ୍ଧନର ନେତୃତ୍ୱ କିଏ ନେବ ସେ ବିଷୟରେ ଏକାଠି ବସି ଆଲୋଚନା କରାଯିବା ଉଚିତ। ଦେଶର ସ୍ୱାର୍ଥ ପାଇଁ କିଛି ବଳିଦାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏପଟେ ବିରୋଧୀ ଦଳର ନେତୃତ୍ୱ ଖୋଜିବାକୁ ପିକେ ପୱାର ସାକ୍ଷାତକାର ହୋଇଥିଲା ଵୋଲି କଳ୍ପନାଜଳ୍ପନା ଚାଲିଛି। ଏହା ସ୍ପଷ୍ଟ ଯେ ଯଦି ଏକ ବିରୋଧୀ ଦଳ ଗୁଡିକର ଗଠବନ୍ଧନ ହେବାକୁ ଯାଉଛି ତେବେ ମମତା ଏବଂ ପାୱାର ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

Related Posts