(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ୪ ମାସ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତୀରଥ ସିଂହ ରାୱତ। ସେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଶୁକ୍ରବାର ରାତି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ରାୱତ ଶୁକ୍ରବାର ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟିଥିଲେ। ସେବେଠାରୁ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ସାମ୍ବିଧାନିକ ସଙ୍କଟ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।  ଶନିବାର ଦିନ ଦେହରାଡୁନରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ ବିଜେପି ପ୍ରଭାରୀ ଡ ଦୁଶ୍ୟନ୍ତ ଗୌତମଙ୍କ ଉପସ୍ଥିତିରେ ବିଧାନସଭା ବୈଠକରେ ନୂତନ ନେତା ନିର୍ବାଚିତ ହେବେ।  ଉତ୍ତରପ୍ରଦେଶର 70 ଟି ଆସନରେ ବିଜେପିର 57 ଜଣ ବିଧାୟକ ଅଛନ୍ତି।  ଏଥିମଧ୍ୟରୁ ଗାଙ୍ଗୋତ୍ରୀ ବିଜେପିର ଗୋଟିଏ ଆସନ ଖାଲି ଅଛି। ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ୨୦୨୪ ଯାଏ ସାଂସଦ ଭାବେ କାର୍ଯ୍ୟ କରିବେ। ସେ ୨୦୧୯ ଲୋକସଭା ନିର୍ବାଚନରେ ପାଉରି ଘରୱାଲରୁ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ସେ ଏହି ପଦରୁ ଏଯାଏ ଇସ୍ତଫା ଦେଇ ନଥିଲେ। ତ୍ରିବେନ୍ଦ୍ର ସିଂ ରାୱତ ଇସ୍ତଫା ଦେବା ପରେ ସେ ମାର୍ଚ୍ଚ ୧୦ ତାରିଖରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ସେ ଜଣେ ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ଥିଲା। ସେପ୍ଟେମ୍ବର ୧୦ରେ ଏହି ଅବଧି ଶେଷ ହେବା ପାଇଁ ଯାଉଥିଲେ ମଧ୍ୟ ଏବେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହେବାର ଆଶା ବହୁତ୍ କମ୍। ତେଣୁ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ତୀରଥ ସିଂହ ରାୱତଙ୍କ ଜରିଆରେ ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷକୁ ସମାଧାନ କରିବାକୁ ଚେଷ୍ଟା କରିଥିଲା ହେଲେ ସେ ମଧ୍ୟ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ତାଙ୍କ କାର୍ଯ୍ୟକାଳ ସମୟରେ ବିବାଦୀୟ ମନ୍ତବ୍ୟ ଏବଂ କୁମ୍ଭ ମେଳା ଆୟୋଜନ କରି ସେ ଆଲୋଚନାର ଶୀକାର ହୋଇଥିଲେ।