(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନବରଙ୍ଗପୁରର ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ସାପ କାମୁଡା ଘଟଣା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି । ଏନେଇ  ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି  ପ୍ରଶାସନ। ତେବେ ପାଖାପାଖି ଗୋଟିଏ ମାସ ସାପ ବିଷ ଯନ୍ତ୍ରଣାକୁ ସହ୍ୟ କରି ଶେଷରେ ଅଧିକ ଚିକିତ୍ସା ପାଇଁ ନାବାଳିକା ମଂଜୁଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମଂଜୁଳାକୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

      କେବଳ ଏତିକି ନୁହେଁ ବରଂ ମଂଜୁଳାର ସମସ୍ତ ଚିକିତ୍ସା ସୁବିଧା ମଧ୍ୟ ପ୍ରଶାସନ ବ୍ୟବସ୍ଥା କରିଛି । ତେବେ ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବ ବୋଲି ସୂଚନା ମିଳିଛି ।  ଯଦି ଦରକାର ପଡ଼େ ତାହାଲେ  ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆ ଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ସବୁଠାରୁ ରୋଚକ କଥାଟି ହେଉଛି ମଂଜୁଳାକୁ କାମୁଡି ଥିବା ନାଗ ସାପ ଟିକୁ ତାଙ୍କ ପରିବାର ଲୋକେ ବନ୍ଦୀ କରିରଖିଥିଲେ । ଏ ସଂପୂର୍ଣ୍ଣ ଖବର ସାମ୍ନାକୁ ଆସିବା ପରେ  ବନ ବିଭାଗ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛି ।

        ତେବେ ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାରେ ଲାଗିଥିଲା । ସଂପୃକ୍ତ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିବାରୁ ଝିଅର ଚିକିତ୍ସା  ଠିକ ଭାବରେ ହୋଇପାରିନଥିଲା ।  ଅନ୍ୟପଟେ ଚାରି ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ପଠାଇଥିଲେ । ଝିଅଟି କଟକ ଏସସିବି ମେଡକାଲରେ ପହଂଚିଥିବାବେଳେ ତାର ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି ।