ଅଲିମ୍ପିକରୁ କ୍ରୀଡ଼ା ଜଗତକୁ ସନ୍ଦେଶ : ପ୍ରତିଦ୍ୱନ୍ଦ୍ୱି ଖେଳାଳୀ ଆହାତ ହେବାରୁ ଏକାକୀ ପଦକ ନେବାକୁ ମନା କଲେ, ଉଭୟଙ୍କୁ ମିଳିଲା ସ୍ବର୍ଣ୍ଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲମ୍ପିକ୍ସ। ଆଉ ପ୍ରତ୍ୟେକ ଖେଳାଳିଙ୍କ ଲକ୍ଷ୍ୟ ଥାଏ ସେଠାରୁ ସ୍ବର୍ଣ୍ଣ ପଦକ ହାସଲ କରିବା। ଏଥିପାଇଁ ସେମାନେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ ଉପରେ ସାରା ଦୁନିଆର ନଜର। ତେବେ ଅଲମ୍ପିକ୍ସରୁ ଏମିତି ଏକ ଖବର ଆସିଛି ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦୁଇ ଜଣ ଖେଳାଳିଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। କଥାଟା ଟିକେ ଅଡୁଆ ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ । କାତାରର ଆଥଲେଟ୍ ହେଉଛନ୍ତି ମୁତାଜ ଏସା ବାରଶିମ । ସେ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସଙ୍ଗେ ସଙ୍ଗେ ସେ ମାନବିକତାର ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ନେଇ ଏବେ ବିଶ୍ବ ଦରବାରରେ ପ୍ରଶଂସିତ।
ମୁତାଜ ଏସା ବାରଶିମ ପୁରୁଷ ଉଚ୍ଚ ଡିଆଁ (High Jump) ପ୍ରତିଯୋଗିତାର ଫାଇନାଲରେ ନିଜେ ସ୍ବର୍ଣ୍ଣ ପଦକ ହାସଲ କରିବା ସଙ୍ଗେ ସଙ୍ଗେ ଆହତ ହୋଇଥିବା ଇଟାଲୀର ଆଥଲେଟ୍ ଗିୟାନମାର୍କୋ ତାମ୍ବେରୀଙ୍କୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

ପୁରା ଘଟଣାକ୍ରମ :-

ଉଭୟ ଦୁଇ ଦେଶର ଖିଲାଡି ୨.୩୭ ମିଟର ଡେଇଁଲେ

ଟୋକିଓ ଅଲିମ୍ପିକର ପୁରୁଷ ଉଚ୍ଚ ଡିଆଁ (High Jump) ପ୍ରତିଯୋଗିତାରେ କାତାରର ବାରଶିମ ଓ ଇଟାଲୀର ତାମ୍ବେରୀ ଉଭୟ ୨.୩୭ ମିଟରର ଉଚ୍ଚ ଡେଇଁ ମିଳିତ ପ୍ରଥମ ସ୍ଥାନରେ ରହିଥିଲେ। ଉଭୟ ପ୍ରଥମ ସ୍ଥାନ ହାସଲ କରିଥିବାରୁ ସେମାନଙ୍କୁ ତିନି ତିନି ଥର ଡେଇଁବାକୁ କୁହାଯାଇଥିଲା। କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ବି ୨.୩୭ ମିଟର ଉପରକୁ ଡେଇଁ ପାରିନଥିଲେ।

ବିଜେତା ଘୋଷଣା ହୋଇ ନପାରିବାରୁ ଆୟୋଜକ ପୁଣି ଥରେ ଉଭୟଙ୍କୁ ଡେଇଁବାକୁ କହିଥିଲେ । ଏହି ସମୟ ବେଳକୁ ଇଟାଲୀର ଆଥଲେଟ୍ ତାମ୍ବେରି ଆହତ ହୋଇ ଯାଇଥିଲେ। ପାଦରେ ଆଘାତ ଲାଗିବା କାରଣରୁ ସେ ନିଜର ନାଁ ଫେରାଇ ନେଇଥିଲେ। ବାରଶିମଙ୍କ ପାଖରେ ସ୍ବର୍ଣ୍ଣ ପଦକ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ଥିଲା।

ମାନବିକତା ଦେଖାଇଲେ ବାରଶିମ :-

ତେବେ ଇଟାଲୀ ଆଥଲେଟ୍ ତାମ୍ବେରି ଗେଟ୍ ରୁ ନାଁ ଫେରାଇ ନେବା ପରେ ବାରିଶମ ଅଧିକାରୀଙ୍କୁ ପଚାରିଥିଲେ ଯେ, ଯଦି ସେ ନିଜର ନାମ ଫେରାଇ ନିଅନ୍ତି ତେବେ କଣ ହେବ ? ଅଧିକାରୀ କହିଥିଲେ , ” ଯଦି ଆପଣ ନିଜର ନାଁ ଫେରାଇ ନେବେ ତେବେ ଦୁହିଁଙ୍କୁ ସ୍ଵର୍ଣ୍ଣ ପଦକ ମିଳିବ।” ଏହା ପରେ ନିଜର ବଡ ପଣ ଦେଖାଇଥିଲେ ବାରଶିମ , ସେ ନିଜ ନାଁ ଗେମ୍ ରୁ ଫେରାଇ ନେଇଥିଲେ। ଫଳରେ ଉଭୟ ଖିଲାଡିଙ୍କୁ ସ୍ଵର୍ଣ୍ଣ ପଦକ ବିଜୟୀ ଘୋଷିତ କରାଯାଇଥିଲା।

କ୍ରୀଡ଼ା ଜଗତକୁ ସନ୍ଦେଶ

ତେବେ ପଦକ ଜିତିବା ପରେ କାତାରର ଆଥଲେଟ୍ ମୁତାଜ ଏସା ବାରଶିମ କହିଛନ୍ତି, ” ଖେଳରେ ଜିତିବା ସବୁ କିଛି ହୋଇନଥାଏ। ଆମେ ଆଗାମୀ ପିଢିକୁ ସନ୍ଦେଶ ଦେବାକୁ ଚେଷ୍ଟା କରିଛୁ ଯେ, ଜଣେ ଖେଳାଳି କେମିତି ଖେଳିବା ଉଚିତ୍। ନିଜର ପ୍ରତିଦ୍ଵନ୍ଦ୍ଵୀ ଖେଳାଳିଙ୍କୁ କେମିତି ସମ୍ମାନ ଦେବା ଉଚିତ୍। ପଦକ ପାଇଁ ଯିଏ ହକଦାର ତାଙ୍କ ସହ ସଫଳତା ବାଣ୍ଟିବା ଉଚିତ୍। ଏହାପରେ ଇଟାଲୀର ଖେଳାଳି ତାମ୍ଵେରି ଖୁସିରେ ବାରଶିମଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଏହା ପରେ ଦୁଇ ଆଥଲେଟ୍ ଅଲିମ୍ପିକ ଷ୍ଟାଡିୟମ ବୁଲି ନିଜର ସ୍ମୃତି ବାଣ୍ଟିଥିଲେ।

Related Posts