ଟୋକିଓ ଅଲିମ୍ପିକ୍ସ : ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା ରେସଲର୍ ଭିନେଶ ଫୋଗଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ନିଲମ୍ବିତ କରିଛି। ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗରେ ମହିଳା ରେସଲର୍ ଭିନେଶ୍ ଫୋଗାଟଙ୍କୁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଅସ୍ଥାୟୀ ଭାବେ ସସପେଣ୍ଡ କରିଛି। କେବଳ ଏତିକି ନୁହେଁ, ତାଙ୍କ ସାଥୀ ରେସଲର୍ ସୋନମ ମଲିକଙ୍କୁ ମଧ୍ୟ ଡବ୍ଲ୍ୟୁଏଫଆଇ ନୋଟିସ୍ ଜାରି କରିଛି। ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର୍ ଫାଇନାଲରେ ପରାଜୟ ହୋଇଥିବା ଭିନେଶଙ୍କୁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ ସମୟ ଦିଆଯାଇଛି।

ଟୋକିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଭିନେଶ ହଙ୍ଗେରୀରେ କୋଚ୍ ଓଲୋର୍ ଏକୋସଙ୍କ ସହ ଟ୍ରେନିଂ କରୁଥିବା ଭିନେଶ ସିଧା ଟୋକିଓରେ ପହଞ୍ଚିଥିଲେ । ସେ ଅଲିମ୍ପିକ୍ସ ଭିଲେଜ୍ ରେ ଅନ୍ୟ ଭାରତୀୟ ଦଳର ସଦସ୍ୟଙ୍କ ରହିବାକୁ ଓ ଟ୍ରେନିଂ କରିବାକୁ ମନା କରି ଦେଇଥିଲେ। ଏହାବାଦ୍‌ ମ୍ୟାଚ୍‌ ବେଳେ ଭାରତୀୟ ଦଳର ଅଫିସିଆଲ ସ୍ପନସର୍ସଙ୍କ ନାମକୁ ଜର୍ସିରେ ସ୍ଥାନ ଦେଇ ନ ଥିଲେ। ଏମିତିକି ଭାରତୀୟ ଆଥ୍‌ଲେଟଙ୍କ ସହ ଟୋକିଓ ଗସ୍ତ କରିଥିବା ଅଧିକାରୀଙ୍କ ଅନୁଯାୟୀ, ଭାରତର ଅନ୍ୟ ରେସଲରଙ୍କ ରୁମ୍‌ ପାଖରେ ଭିନେଶଙ୍କୁ ରୁମ୍‌ ମିଳିଥିଲା। କିନ୍ତୁ ସୋନମ, ଅଂଶୁ ମଲିକ ଓ ସିମା ବିସଲା ସିଧାସଳଖ ଭାରତରୁ ଟୋକିଓ ଆସିଥିବାରୁ ସେମାନେ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଦର୍ଶାଇ ଅଲିମ୍ପିକ୍ସ ଭିଲେଜ୍ ରେ ହଙ୍ଗାମା କରିଥିଲେ ଭିନେଶ। ଏପରି କି ଅନ୍ୟ ଖେଳାଳିଙ୍କ ସହ ଗୋଟିଏ ଏରିନାରେ ଅଭ୍ୟାସ କରିବାକୁ ମଧ୍ୟ ମନା କରିଥିଲେ।

ଏ ନେଇ ଡବ୍ଲ୍ୟୁଏଫଆଇ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ବିଶୃଙ୍ଖଳିତ ଆଚରଣ। ତାଙ୍କ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଉଛି ଏବଂ ରେସଲିଂର ସମସ୍ତ ଗତିବିଧିରୁ ବ୍ୟାନ୍ କରାଯାଉଛି। ଭିନେଶ ଜବାବ ନଦେବା ଯାଏ କୌଣସି ଜାତୀୟ କିମ୍ବା ଅନ୍ୟ ଘରୋଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏ ସମ୍ବନ୍ଧରେ ଡବ୍ଲ୍ୟୁଏଫଆଇ ଅନ୍ତିମ ନିଷ୍ପତ୍ତି ନେବ।ଅନ୍ୟ ପକ୍ଷରେ ୧୯ ବର୍ଷୀୟା ସୋନମଙ୍କୁ ଦୁର୍ବ୍ୟବହାର ପାଇଁ ମଧ୍ୟ ନୋଟିସ୍ କରାଯାଇଛି।

Related Posts