ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସରକାର ଓ ଜେଏସଡବ୍ଲୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ?


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ମିଳିଛି । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା । ୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଟୋକିଓରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଅବିନାଭ ବିନ୍ଦ୍ରଙ୍କ ପରେ ଭାରତର ଦ୍ୱିତୀୟ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।  ସେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଯିଏକି ଟ୍ରାକ ଆଣ୍ଡ୍ ଫିଲ୍ଡ ଇଭେଣ୍ଟରେ ପଦକ ଜିତିଛନ୍ତି ।

 ଷ୍ଟାର୍ ଆଥଲେଟ୍ ନୀରଜ ପ୍ରଥମେ ୨୦୧୬ IAAF ୱାର୍ଲ୍ଡ U20 ଚାମ୍ପିଅନସିପ୍ ରେ ୨୦ ବର୍ଷରୁ କମ୍ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ୮୬.୪୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ପାରିଥାନ୍ତେ, କିନ୍ତୁ କ୍ବାଲିଫିକେସନ୍ ସମୟ ସୀମା ଅତିକ୍ରମ କରିସାରିଥିଲା ​​ଏବଂ  ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିଲା ।

ଏହି ପାଞ୍ଚ ବର୍ଷ ମଧ୍ୟରେ ନୀରଜଙ୍କ ପଦକ ଅଭିଯାନ ପାଇଁ ଭାରତ ସରକାରଙ୍କ TOPS ଯୋଜନା ଏବଂ ଘରୋଇ ପ୍ରଯୋଜକ ଜେଏସଡବ୍ଲୁ ମଧ୍ୟ ସମର୍ଥନ କରିଥିଲେ।

ଅଲିମ୍ପିକ୍ସରେ ନୀରଜଙ୍କ ତାଲିମ ଏବଂ ପ୍ରସ୍ତୁତି ପାଇଁ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ?  

 ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଦଲିଲ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ୪୫୦ ଦିନ ଧରି ବିଦେଶରେ ତାଲିମ ଏବଂ ପ୍ରତିଯୋଗିତା ପାଇଁ ସରକାର ନୀରଜଙ୍କ ପଛରେ ୪ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।  ସେ ବର୍ତ୍ତମାନର ଅଲିମ୍ପିକ୍ସରେ ଭାଗ ନେବା ପୂର୍ବରୁ ୨୬ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏବଂ ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ତୁର୍କୀ, ଫିନଲ୍ୟାଣ୍ଡ, ଚେକ୍ ରିପବ୍ଲିକ୍ ଏବଂ ସ୍ୱିଡେନ ଭଳି ବିଦେଶୀ ତାଲିମ ଶିବିର ଖେଳିଥିଲେ ।

 ଜାଭେଲିନ୍ ଥ୍ରୋରେ କିମ୍ବଦନ୍ତୀ ଖେଳାଳି ଉୱେ ହୋନ୍ ପ୍ରଥମେ ଅକ୍ଟୋବର ୨୦୧୭ ରେ ନୀରଜଙ୍କ କୋଚ୍ ଭାବେ ମନୋନୀତ ହେଲେ। ସେହି ବର୍ଷ ମେ ମାସରେ ନୀରଜଙ୍କ ଏଲବୋ ସର୍ଜରୀ ପରେ ଡ କ୍ଲାଉସ୍ ବାର୍ଟୋନିଏଜ୍ ତାଙ୍କୁ ୨୦୧୯ ମସିହାରେ ରିପ୍ଲେସ୍ କରିଥିଲେ। ଏହା ପରଠାରୁ ଦୁହେଁ ଏକାଠି କାମ କରିଆସୁଥିବା ବେଳେ ସରକାର ତାଙ୍କ ଦରମା ବାବଦକୁ ୧ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

 ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଡକ୍ୟୁମେଣ୍ଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ନୀରଜ ଚୋପ୍ରଙ୍କ ପାଇଁ ୪ ଲକ୍ଷ ୩୫ ହଜାର ଟଙ୍କାର ସମୁଦାୟ ଚାରିଟି ଜାଭେଲିନ୍ କିଣାଯାଇଛି। ୨୦୨୧ ମସିହାରେ, ନୀରଜ ଟୋକିଓ ଯିବା ପୂର୍ବରୁ ୟୁରୋପୀୟ ଟୁର୍ନାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେ ୫୦ ଦିନ ପାଇଁ ସ୍ୱିଡେନରେ ଏକ ଅଲିମ୍ପିକ୍ସ ପ୍ରସ୍ତୁତି ଶିବିରରେ ଟ୍ରେନିଂ ନେବା ପାଇଁ ୧୯ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। 

ସୂଚନା ଥାଉକି ଚଳିତ ଅଲମ୍ପିକରେ ଭାରତର ୭ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ମିଳିଛି । ଜାଭେଲିନ୍ ଥ୍ରୋରେ ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩, ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ଓ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଚତୁର୍ଥ ଓ ପଞ୍ଚମ ରାଉଣ୍ଡ ଜାଭେଲିନ୍ ଥ୍ରୋ ଗଣତି ହୋଇ ନଥିଲା । ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ଶେଷରେ ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି।

Related Posts