(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏ ସବୁ ମଧ୍ୟରେ ପଛୁଆ ବର୍ଗ ଭୋଟ୍ କୁ ହାତେଇବା ପାଇଁ ବିଜେଡି ଖେଳିଛି ଓବିସି କାର୍ଡ଼। ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଦୁଇ ବରିଷ୍ଠ ନେତା ଆଜି ଏକ ପ୍ରେସ୍ କନଫରେନ୍ସ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି ଯେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ଅତି କମ୍ରେ ୨୭% ଦଳୀୟ ପ୍ରାର୍ଥୀଘୋଷଣା କରିବ ବିଜେଡ଼ି।
ଦଳର ଏହି ଦୁଇ ବରିଷ୍ଠ ନେତା ଘୋଷଣା କରିଛନ୍ତି ଯେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ବରଂ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ । ତେବେ କୌଣସି ଅଦାଲତ କଟକଣା କି କେନ୍ଦ୍ରୀୟ ଆଇନ୍ ବାଧକ ସାଜୁ ନଥିବାରୁ ଏଭଳି ଏକ ବଡ ରାଜନୈତିକ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । ନିଜେ ଓବିସି କାର୍ଡ଼ ଖେଳିବା ସଙ୍ଗେ ସଙ୍ଗେ ବିରୋଧୀଙ୍କୁ ମଧ୍ୟ ଆହ୍ବାନ କରିଛି। ସେହିପରି ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆହ୍ୱାନ ଦେଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା କହିଛନ୍ତି ଯେ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ଜାତିଭିତ୍ତିକ ଜନଗଣନା ମୁଦ୍ଦା ଉଠାଇ ଦଳ ପକ୍ଷରୁ କୁହାଯାଇଛି ଯେ ଯଦି ଜାତି ଜନଗଣନା ହୁଏ ତେବେ ଏହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।
ଆରକ୍ଷଣ ସୀମା ୫୦ ପ୍ରତିଶତରେ ସିମୀତ ଥିବା ବେଳେ ଓଡ଼ିଶାରେ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗ (OBC) ଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । ତେବେ ବିଭିନ୍ନ ଅଦାଲତଙ୍କ ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ । ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।
ରାଜ୍ୟ ସରକାର ମାନେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ବର୍ତ୍ତମାନ ମଧ୍ୟ କରିପାରିବେ । କେନ୍ଦ୍ର ସରକାରଙ୍କ ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ଆରକ୍ଷଣ ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ଓବିସି ତାଲିକା ଆଧାରରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ଆରକ୍ଷଣ ସୁବିଧା ପାଉଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟର ଏବେ ସୁଦ୍ଧା ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ଯଦି ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ସାମିଲ କରିବାକୁ ଚାହାଁନ୍ତି ତେବେ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ । ଏହା ଯଦି କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀ ପାଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୋଇଥାଏ । ୧୧.୦୮.୨୦୧୮ ପୂର୍ବରୁ ଓଡ଼ିଶାରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକାରେ ସାମିଲ ହୋଇଛନ୍ତି। ପୂର୍ବଭଳି ରାଜ୍ୟଗୁଡିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ସଂସଦରେ ଉଭୟ ଶାସକ ଓ ବିରୋଧୀ ଏକମତ ହୋଇ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିଛନ୍ତି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ରାଜ୍ୟ ସରକାର ମାନେ ଓବିସି ତାଲିକା ପ୍ରସ୍ତୁତ କରିପାରିବେ। କିନ୍ତୁ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଏପଟେ ଏନଡିଏର କିଛି ସହଯୋଗୀ ଦଳ ମଧ୍ୟ ୫୦ % ଆରକ୍ଷଣ ସୀମାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।
ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ ୩୩୮ଇ ପରେ ୩୩୮ଈ ଏବଂ ଅନୁଚ୍ଛେଦ ୩୪୨ ପରେ ୩୪୨ଇ (ଏହି ଦୁଇଟି ଅନୁଚ୍ଛେଦ) ସଂଯୋଗ କରାଯାଇଛି । ସମ୍ବିଧାନର ୧୨୭ତମ ସଂଶୋଧନ କରି ଏହି ଦୁଇଟି ଅନୁଚ୍ଛେଦରେ କିଛିଟା ପରିବର୍ତ୍ତନ କରାଯାଇଛି। ଏହା ସଙ୍ଗେ ସଙ୍ଗେ ଅନୁଚ୍ଛେଦ ୩୬୬ରେ ମଧ୍ୟ ସାମାନ୍ୟ ପରିବର୍ତନ କରି ଓବିସି ସଂଜ୍ଞା ଉଲ୍ଲେଖ କରାଯାଇଛି । ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ ୧୧.୦୮.୨୦୧୮ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିଶନ-ଆଇନ୍) ପରେ ଯେପରି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ବିଜେଡି ନେତା ରାଜା ସ୍ୱାଇଁ ଓ ଅରୁଣ ସାହୁ କହିଛନ୍ତି ।
