(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶରେ ଉତ୍ସାହର ୭୫ ତମ ସ୍ବାଧୀନତା ଦିବସ ପାଳନ ହେଉଛି। ତେବେ ଏହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କର ମୃତ୍ୟୁ ଘଟିଛି।
ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଗ୍ରାମରକ୍ଷୀ ଜଣକ ହେଉଛନ୍ତି ଧନେଶ୍ଵର ଦାସ ।
୧୫ ଅଗଷ୍ଟ ରବିବାର ସକାଳ ସାଢେ ୭ ଟା ରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖମ୍ବ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ଗ୍ରାମରକ୍ଷୀ ଏବଂ କନେଷ୍ଟବଳ ଗୁରୁତର ଆହତ ହୋଇଥିଲେ।
ଉଭୟଙ୍କୁ ତୁରନ୍ତ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ରହିଛି।
