(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିରୋଧୀ ଏକଜୁଟତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଗଷ୍ଟ ୨୦ରେ ବିରୋଧୀ ଦଳର ନେତାଙ୍କ ସହ ବୈଠକ କରିବାକୁ ଯାଉଛନ୍ତି। ତେବେ ସୋନିଆ ଗାନ୍ଧୀଙ୍କ ଏହି ପଦକ୍ଷେପକୁକଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ସ୍ୱାଗତ କରିଥିଲେ। ଏବଂ ଦଳକୁ ମଜବୁତ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ବିନା କୌଣସି ବିରୋଧୀ ଏକତା ସମ୍ଭବ ନୁହେଁ ବୋଲି ସିବଲ କହିଥିଲେ।
ସିବଲ କହିଛନ୍ତି ଯେ ସେ ତାଙ୍କ ” ଜି 23 ନେତାଙ୍କ ଗୋଷ୍ଠୀ ” ସହିତ ମିଶି ଦଳରେ ସଂସ୍କାର ଆଣିବାକୁ ପ୍ରୟାସ ଜାରି ରଖିବେ ଏବଂ ଦଳକୁ ସୁଦୃଢ଼ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବେ। ସୂଚନାଯୋଗ୍ୟ ଯେ , କପିଲ ସିବଲଙ୍କ ସମେତ ଅନ୍ୟ 23 ଜଣ ନେତା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ପାଇଁ ଏକ ଚିଠି ଲେଖିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ନ୍ଯୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ବିରୋଧୀ ଏକତା ଆଣିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପଦକ୍ଷେପ ନେଇଥିବାରୁ ମୁଁ ଖୁସି। କିନ୍ତୁ ଆମର ସଂସ୍କାର ଏଜେଣ୍ଡା ଜାରି ରଖିବାକୁ ପଡ଼ିବ ଏବଂ କଂଗ୍ରେସକୁ ମଜବୁତ କରିବା ପାଇଁ ଆମେ ଏହା ଉପରେ ଉଦ୍ୟମ ଜାରି ରଖିବୁ। ” ସେ କହିଛନ୍ତି ଯେ ଯଦି ସେ ସୋନିଆ ଗାନ୍ଧୀଙ୍କ ରାସ୍ତାରେ ଆସନ୍ତି, ତେବେ ସେ ସୋନିଆ ଗାନ୍ଧୀ ତାଙ୍କୁ “ବହିଷ୍କାର” ବି କରିପାରନ୍ତି, କିନ୍ତୁ ବିରୋଧୀ ଏକତା ପାଇଁ ସେ କଂଗ୍ରେସକୁ ମଜବୁତ କରିବେ।
କପିଲ ଶିବଲ କହିଛନ୍ତି ଯେ, “ଏହା ମୋ ବିଷୟରେ ନୁହେଁ, କଂଗ୍ରେସକୁ ପୁଣି ଥରେ ଗଢି ତୋଳିବା ଏବଂ ଏହାକୁ ବିରୋଧୀ ଏକତାକୁ ସାମ୍ନାକୁ ଆଣିବା ବିଷୟରେ। କଂଗ୍ରେସ ଶକ୍ତିଶାଳୀ ନ ହେଲେ ବିରୋଧୀ ଏକତା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯଦି ଦଳ ଭିତରେ ସଂସ୍କାର ଆଣିବା ପାଇଁ ତାଙ୍କୁ ଏବଂ ୨୩ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଏ ତେବେ ସେ ଏହାକୁ ସ୍ବୀକାର କରିବେ। କିନ୍ତୁ କଂଗ୍ରେସକୁ ମଜବୁତ କରିବା ଆବଶ୍ୟକ। “
ସୂଚନାଯୋଗ୍ୟ ଯେ ଅଗଷ୍ଟ 20 ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀଦଳର ନେତାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ କପିଲ ସିବଲଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବୈଠକରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ମହାରାଷ୍ଟ୍ରର ଉଦ୍ଧବ ଠାକରେ ଏବଂ ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ସମେତ ଅଣ-ବିଜେପି ଶାସିତ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନେ ଯୋଗଦେବେ ବୋଲି ଆଶା କରାଯାଉଛି।
