
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ କଡା ସମାଲୋଚନା କରିଛନ୍ତି ବିଧାୟକ ଅଖିଲ ଗୋଗୋଇ । ଗତ କିଛିଦିନ ତଳେ ଆସାମ ବିଧାନସଭାରେ ଗୋ ସୁରକ୍ଷା ବିଲ୍ ପାରିତ ହୋଇଥିଲା । ଏହି ବିଲ୍ କୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଜୋରଦାର ହମଲା କରିଛନ୍ତି ବିଧାୟକ ଅଖିଳ ଗୋଗୋଇ। ଗୋଗଇ କହିଛନ୍ତି ଯେ ତାଙ୍କୁ (ହିମନ୍ତ ବିଶ୍ୱ ଶର୍ମା) ରାଜ୍ୟ ଇତିହାସରେ ସବୁଠାରୁ ସାମ୍ପ୍ରଦାୟିକ ତଥା ବିଭାଜନକାରୀ ମୁଖ୍ୟମନ୍ତ୍ରୀ ଭାବରେ ସ୍ମରଣ କରାଯିବ। ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆସାମବାସୀଙ୍କୁ କ୍ଷମା ମାଗିଛନ୍ତି। କାରଣ ତାଙ୍କ ଦଳ ଆସାମ ବିଧାନସଭାରେ ଗୋ ବିଧେୟକ ପାରିତ କରିବାକୁ ରୋକି ପାରନଥିଲା। ଯେହେତୁ ସେ ରାଇଜର ଦଳର ଏକମାତ୍ର ବିଧାୟକ ,ତେଣୁ ସେ ଆସାମର ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।
ଗୋଗୋଇ କ୍ଷୋଭର ସହ କହିଛନ୍ତି ଯେ , ” ଯେତେବେଳେ ଅଗଷ୍ଟ 13 ରେ ବିଲ୍ ପାରିତ ହେଲା, ମୁଁ ସେଦିନ ରାତିରେ ଶୋଇ ପାରିଲି ନାହିଁ। ଏହା ଏକ ବିବାଦୀୟ କାର୍ଯ୍ୟ ଯାହା ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବ ଏବଂ ଗ୍ରାମୀଣ ଅର୍ଥନୀତିକୁ ନଷ୍ଟ କରିବ। ଆସାମ ହିମନ୍ତ ବିଶ୍ୱ ସର୍ମାଙ୍କୁ ସବୁଠାରୁ ସାମ୍ପ୍ରଦାୟିକ ତଥା ବିଭାଜନକାରୀ ମୁଖ୍ୟମନ୍ତ୍ରୀ ଭାବରେ ମନେ ରଖିବେ। ସେ ସବୁଠାରୁ ଖତରନାକ ମୁଖ୍ୟମନ୍ତ୍ରୀ ଏବଂ ଆସାମର ଲୋକମାନେ ତାଙ୍କ ଅଧୀନରେ ସୁରକ୍ଷିତ ନୁହଁନ୍ତି ବୋଲି ସେ କହିଛନ୍ତି। ” ଆସାମ ବିଧାନସଭାରେ ଏହି ବିଲ୍ ପାସ୍ ହେବାକୁ ସେ ବାବ୍ରି ମସଜିଦ୍ ଭାଙ୍ଗିବା ସହ ତୁଳନା କରି କହିଛନ୍ତି ଯେ ଦେଶର ହିନ୍ଦୁ-ମୁସଲମାନ ଏକତାକୁ ନଷ୍ଟ କରିବାର ଘଟଣା ବିପଜ୍ଜନକ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଲ୍ ପାସ୍ ସମୟରେ ମୁଖ୍ୟମନ୍ତ୍ରୀ ଭୁଲ ଭାଷଣରେ ମହାତ୍ମା ଗାନ୍ଧୀଙ୍କୁ ଭୁଲ ଭାବେ ଚିତ୍ରିତ କରିଛନ୍ତି।