(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜନୈତିକ ବ୍ୟକ୍ତିବିଶେଷ, ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ବରିଷ୍ଠ ଅଧିକାରୀ ଆଦିଙ୍କ ପଛରେ ଇସ୍ରାଏଲି ସଂସ୍ଥା ଏନ୍ଏସ୍ଓ ର ପେଗାସସକୁ ଗୁଇନ୍ଦାଗିରି ପାଇଁ କେନ୍ଦ୍ର ସରକାର ଲଗାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଆଗତ ଯାଚିକାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟି ଜାରି କରିଛନ୍ତି। ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଥିତ ପେଗାସସ୍ ମାମଲାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ କରିବା ପାଇଁ ଆବେଦନ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ,” ଆମର ଲୁଚାଇବାକୁ କିଛି ନାହିଁ, ଏଗୁଡ଼ିକ ହେଉଛି ଜାତୀୟ ସୁରକ୍ଷା ପ୍ରସଙ୍ଗ।”
ଏହାପୂର୍ବରୁ ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ଅନୁସନ୍ଧାନ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ଆଫିଡେଭିଟ୍ରେ କହିଥିଲେ। ଏହି ଆଫିଡେଭିଟ୍ ରେ କେନ୍ଦ୍ର ସରକାର କହିଥିଲେ ଯେ ପେଗାସସ୍ କୁ ନେଇ ଯେଉଁ ସବୁ ଅଭିଯୋଗ ହୋଇଛି ଏ ସମସ୍ତ ଅଭିଯୋଗକୁ ସରକାର ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଛନ୍ତି। ଦେଶର ନାଗରିକଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ କେନ୍ଦ୍ର ସରକାର ପେଗାସସ୍ ସଫ୍ଟୱେର୍ ବ୍ୟବହାର କରିଛନ୍ତି କି ନାହିଁ ତାହାର ଏସଆଇଟି ତଦନ୍ତ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ୟାଚିକାକର୍ତ୍ତା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।
ତେବେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ପାଇବା ପରେ ହିଁ ତଦନ୍ତ ପାଇଁ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯିବ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ଆମେ ଚାହୁଁନାହୁଁ ଯେ ଜାତୀୟ ସୁରକ୍ଷାକୁ ସଙ୍କଟାପନ୍ନ କରାଯାଉ, କିନ୍ତୁ ଅଭିଯୋଗ ହୋଇଛି ଯେ ସେମାନଙ୍କ ଫୋନ ଟ୍ୟାପିଂ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ , ‘କୋର୍ଟ ପାଖରେ ଲୁଚାଇବାକୁ ଆମର କିଛି ନାହିଁ। ଏ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରାଯାଇପାରିବ ନାହିଁ। ଏହି ସଫ୍ଟୱେର ପ୍ରତ୍ୟେକ ରାଷ୍ଟ୍ର କିଣିଥାନ୍ତି ଏବଂ ଏହାକୁ ବ୍ୟବହାର କରାଯାଇଛି କି ନାହିଁ ତାହା ଆବେଦନକାରୀ ଜାଣିବାକୁ ଚାହିଁଛନ୍ତି। ଯଦି ସରକାର ଏହା ପ୍ରକାଶ କରନ୍ତି ତେବେ ଆତଙ୍କବାଦୀମାନେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ। ସରକାର ଏ ସମ୍ପର୍କରେ ଅଦାଲତଙ୍କୁ କିଛି ଲୁଚାଇବାକୁ ଚାହାନ୍ତି ନାହିଁ। କିନ୍ତୁ ଏହାକୁ ଏକ କମିଟି ନିକଟରେ ଉପସ୍ଥାପନ କରିବାକୁ ହେବ।
