(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଥିବା ବେଳେ ଓଡିଶାକୁ ନେଇ ଆସିଛି ଆଶ୍ବସ୍ତିର ଖବର। ଓଡ଼ିଶାରେ ସମ୍ଭାବ୍ୟ ତୃତୀୟ ଲହରର କମ୍ ପ୍ରଭାବ ରହିପାରେ। ଏଭଳି କିଛି ପୂର୍ବାନୁମାନ କରିଛି ଆଇଆଇଟି କାନପୁରର ‘ସୂତ୍ର’ ମଡେଲ। ପୂର୍ବାନୁମାନ ଅନୁଯାୟୀ କରୋନାର ଯଦି କୌଣସି ନୂତନ ଭାରିଏଣ୍ଟ ନ ଆସ‌େ ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ୨ହଜାର ମଧ୍ୟରେ ରହିପାରେ। ସେପ୍ଟେମ୍ବରରୁ ସଂକ୍ରମଣ ବଢ଼ିବା ସହିତ ଅକ୍ଟୋବର ଶେଷ ଆଡ଼କୁ ପୁଣି ଖସି ଆସିବ। ମୋଟାମୋଟି ଭାବେ ମାସେ କିମ୍ବା ଦେଢ଼ମାସ ରହିପାରେ ତୃତୀୟ ପର୍ଯ୍ୟାୟର ପ୍ରଭାବ।

ଏହି ମଡେଲ ପ୍ରସ୍ତୁତ କରୁଥିବା ଟିମ୍‌ର ସଦସ୍ୟ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ତେଣୁ ତୃତୀୟ ଲହାରରେ କରୋନାର ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ। ଚଳିତ ମାସରେ ରାଜ୍ୟରେ ଯେଉଁ କଟକଣା ରହିଛି ତାହା ଯଦି ଆସନ୍ତା ମାସରେ ସଂପୂର୍ଣ୍ଣ ଭାବେ ଖୋଲି ଦିଆଯାଏ, ତେବେ ସଂକ୍ରମଣ ଧୀରେ ଧୀରେ ବଢ଼ିବ। ଏବେ ଦୈନିକ ସଂକ୍ରମଣ ହଜାରେ ତଳକୁ ରହିଥିବା ବେଳେ ଅକ୍ଟୋବର ମଧ୍ୟଭାଗରେ ଏହା ଧୀରେଧୀରେ ବଢ଼ି ୨ହଜାର ପାର୍ କରିପାରେ। ଯଦି ରାଜ୍ୟ ସରକାର ଲକ୍‌ଡାଉନ୍‌ କିମ୍ବା ଅନ୍ୟ କଟକଣା ଜାରି କରନ୍ତି ତାହେଲେ ହୁଏତ ସଂକ୍ରମଣ ପୁଣି କମିଯାଇପାରେ। ହେଲେ ସଂକ୍ରମଣ ଲମ୍ବିବ, ‌ନଚେତ୍ ଅକ୍ଟୋବର ଶେଷ ଅଡ଼କୁ ସଂକ୍ରମଣ କମି ଆସିବ।

ଯଦି ଡେଲ୍‌ଟା କିମ୍ବା ଡେଲ୍‌ଟା ପ୍ଲସ୍ ଭଳି ନୂଆ ଭାରିଏଣ୍ଟ ଆସେ ତାହାଲେ ସଂକ୍ରମଣ ସଂଖ୍ୟା ବଢ଼ିଯିବ। ଏପରିକି ଦୈନିକ ସଂକ୍ରମଣ ୫ହଜାର ପାର୍‌ କରି ପାରେ ବୋଲି ଅନୁମାନ କରାଯାଇଛି। କିନ୍ତୁ ଦ୍ବିତୀୟ ଲହର ଭଳି ଏହା ସେହି ପରିମାଣରେ ଘାତକ ହେବ ନାହିଁ ବୋଲି କୁହାଯାଇଛି । ଯାହାଫଳରେ‌ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିବ। ଯଦି ସବୁ ଠିକଠାକ୍ ରୁହେ ତେବେ ଓଡ଼ିଶା ସମେତ ଦେଶରେ ମଧ୍ୟ ସଂକ୍ରମଣ ଏତେଟା ଅଧିକ ହେବ ନାହିଁ ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି।