(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅସୁସ୍ଥତା କାରଣରୁ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆଜି ଗୃହକାର୍ଯ୍ୟରେ ଭାଗ ନେଇଛନ୍ତି। ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି । ଭିଡିଓ କନଫରେସିଂ ମାଧ୍ୟମରେ ବିଧାନସଭା ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଏବେବି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି , ତଥାପି ବିରୋଧୀ ଦଳ ନେତା ହିସାବରେ ରାଜ୍ୟବାସୀ ତାଙ୍କୁ ଦେଇଥିବା ଦାୟିତ୍ୱ ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ତେବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଏତେ ଦୁର୍ବଳ ହୋଇପଡିଛନ୍ତି ଯେ, ଠିକରେ କଥା ମଧ୍ୟ କହି ପାରୁ ନାହାନ୍ତି। ତାଙ୍କ ସ୍ୱର ମଧ୍ୟ ଠିକ୍ ରେ ଶୁଣାଯାଉନାହିଁ ।

ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଉପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୂଚନାଯୋଗ୍ୟ ଯେ, ଭବାନୀପାଟଣାରୁ ଚାରି ଚାରି ଥର ବିଜେପି ଟିକେଟରେ ଜିତି ବିଧାନସଭାକୁ ଆସିଥିବା ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡାରେ ଛିଡ଼ା କରିଛନ୍ତି।  ସେ କରୋନାରେ ଆକ୍ରାନ୍ତ ହୋଇ ଗତ ଏପ୍ରିଲ ୨୦ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।