କୋଭିଡ୍ କଟକଣା କୋହଳ ପରେ କେତେ ଛାତ୍ରଛାତ୍ରୀ ସ୍କୁଲ୍ ଆସୁଛନ୍ତି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ଥିଲା। ସଂକ୍ରମଣ ହ୍ରାସ ପାଉଥିବାରୁ ଧୀରେ ଧୀରେ ସ୍କୁଲ୍ ଫିଟୁଛି।  ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ନବମ,ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ସ୍କୁଲ ଆସୁଛନ୍ତି। ତେବେ କଟକଣା କୋହଳ ପରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ । 

ଖଣ୍ଡପଡ଼ା ବିଧାୟକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଲକଡାଉନ-୨ କଟକଣା କୋହଳ କରାଯିବା ପରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦% ଉପରେ ରହିଥିବା  

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ମୁତାବକ ନୟାଗଡ ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲରେ  ସର୍ବାଧିକ ଉପସ୍ଥିତ ରହୁଥିବା ବେଳେ ବରଗଡ ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀର ସର୍ବାଧିକ ଛାତ୍ରଛାତ୍ରୀ ଆସୁଛନ୍ତି । 

କରୋନା ମହାମାରୀ ଯୋଗୁଁ ପୂର୍ବରୁ ସ୍କୁଲ ଗୁଡିକ ବନ୍ଦ ରହିଥିଲା। ବର୍ତ୍ତମାନ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଗତ କିଛିଦିନ ହେବ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ବିଧାୟକ ସୌମ୍ୟ ରଞ୍ଜନ ପଟନାୟକ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ” ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବନ୍ଦ ହେବା ଆଶଙ୍କା ରହିଛି କି ? ” 

ଏହି ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଟିକାକରଣ ହୋଇନଥିବାରୁ ଓ ତଥାକଥିତ ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବା କାରଣରୁ ବର୍ତ୍ତମାନ ପ୍ରାଥମିକ ସ୍କୁଲରେ ପ୍ରତ୍ୟକ୍ଷ ଶିକ୍ଷାଦାନ ହୋଇପାରିବ ନାହିଁ । ମନ୍ତ୍ରୀଙ୍କ ଏହି ଉତ୍ତରରୁ ସଙ୍କେତ ମିଳୁଛି ଯେ, ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Related Posts