(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଭାରତରେ ପ୍ରବେଶ କରିବା ପରଠାରୁ ଶିକ୍ଷା ବ୍ୟବସ୍ଥା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବିଶେଷକରି ଗ୍ରାମାଞ୍ଚଳ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଅନଲାଇନ ପାଠପଢ଼ା ଆରମ୍ଭ କରାଯାଇଥିଲେ ମଧ୍ୟ ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ଡିଜିଟାଲ ଡିଭାଇସର ଅଭାବରୁ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। କରୋନା କାଳରେ ଲକଡାଉନ୍ କଟକଣା ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ୩୭% ପିଲା ପାଠପଢାରୁ ବଞ୍ଚିତ ଥିବା ଜଣାପଡିଛି। ସ୍କୁଲ୍ ଚିଲଡ୍ରେନ୍ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂ (ସ୍କୁଲ୍) ପକ୍ଷରୁ ହୋଇଥିବା ଅଗଷ୍ଟ-୨୦୨୧ର ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ କହୁଛି ଗ୍ରାମାଞ୍ଚଳରେ କେବଳ ୮ ପ୍ରତିଶତ ପିଲା ଅନଲାଇନରେ ପାଠ ପଢ଼ିଛନ୍ତି।
ଏହି ସର୍ଭେରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ମାତ୍ର ୨୮ ପ୍ରତିଶତ ପିଲା ନିୟମିତ ଅଧ୍ୟୟନ କରୁଥିବା ବେଳେ ୩୭ ପ୍ରତିଶତ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଅଧିକାଂଶ ଅଭିଭାବକଙ୍କ ମତରେ ଲକଡାଡନ୍ ସମୟରେ ସେମାନଙ୍କ ପିଲାମାନଙ୍କର ପଢ଼ିବା ଓ ଲେଖିବା ଦକ୍ଷତା ବହୁତ ହ୍ରାସ ପାଇଛି।
ଅନଲାଇନ୍ ଶିକ୍ଷାରେ ମଧ୍ୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପିଲାଙ୍କ ମଧ୍ୟରେ ବହୁତ ବଡ଼ ଗ୍ୟାପ୍ ଥିବା ଜଣାପଡିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯଥାକ୍ରମେ ୨୪ ପ୍ରତିଶତ ଓ ୮ ପ୍ରତିଶତ ସ୍କୁଲ ପିଲାମାନେ ନିୟମିତ ଅନଲାଇନ୍ କ୍ଲାସ କରୁଥିବା ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ କହୁଛି ଯେ ଅନଲାଇନ କ୍ଲାସ କରିବା ପାଇଁ ଅଧିକାଂଶ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ, ଯେଉଁକାରଣରୁ ସେମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସହରାଞ୍ଚଳରେ ୩୧ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ସର୍ଭେରେ ସ୍ପଷ୍ଟ ହୋଇଛି।
ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରାୟ ୧୩୬୨ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରେ ପ୍ରତ୍ୟେକ ପରିବାରର ଅତି କମରେ ଗୋଟିଏ ପିଲା ପ୍ରାଥମିକ (ପ୍ରଥମ ଶ୍ରେଣୀରୁ ରୁ ପଞ୍ଚମ ) କିମ୍ବା ଉଚ୍ଚ-ପ୍ରାଥମିକ (ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ) ସ୍ତରରେ ନାମ ଲେଖାଇଥିଲେ।
ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ଛୋଟପିଲା ଅନଲାଇନ୍ ପାଠପଢ଼ା କ’ଣ ଜଣ ହିଁ ନାହାନ୍ତି । ସହରାଞ୍ଚଳର ଅଭିଭାବକଙ୍କ କହିବା ଅନୁଯାୟୀ ଲକଡାଉନ୍ ଅବଧି ମଧ୍ୟରେ ସେମାନଙ୍କ ପିଲାଙ୍କର ପଢ଼ିବା ଓ ଲେଖିବା ଦକ୍ଷତା ହ୍ରାସ ପାଇଛି। ଗ୍ରାମାଞ୍ଚଳର ୧ ପ୍ରତିଶତ ଓ ସହରାଞ୍ଚଳର ୮ ପ୍ରତିଶତ ପିଲା ଦୂରଦର୍ଶନରେ ପ୍ରସାରିତ ଅନଲାଇନ୍ କ୍ଲାସରେ ଯୋଗ ଦେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ମଧ୍ୟ ଏହି ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ, ଗ୍ରାମାଞ୍ଚଳର ୫୮ ପ୍ରତିଶତ ଓ ସହରାଞ୍ଚଳର ୫୧ ପ୍ରତିଶତ ପିଲା ସେମାନଙ୍କର ଶିକ୍ଷକଙ୍କୁ ଭେଟିନାହାନ୍ତି। ଏହି ସର୍ଭରେ ୯୮ ପ୍ରତିଶତ ଅଭିଭାବକ ସ୍କୁଲ୍ ଖୋଲିବା ସପକ୍ଷରେ ଯୁକ୍ତି ରଖିଛନ୍ତି।
