ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ : ୩ ବର୍ଷରେ ଓଡ଼ିଶାରେ ୭ହଜାରରୁ ଅଧିକ ଦୁଷ୍କର୍ମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଅପରାଧିକ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦୁଷ୍କର୍ମ, ଯୌତୁକଜନିତ ହତ୍ୟା ଓ ମହିଳା ନିର୍ଯାତନା ବୃଦ୍ଧି ପାଉଛି। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର  । ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ଏବେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ଥିତି କିଭଳି ରହିଛି ? ଆଉ ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ସବୁଠାରୁ ଚିନ୍ତାଜନକ। 

ଗୃହ ରାଷ୍ଟ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୨୦୧୯ରେ ୨୯୫୦ ଟି ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୯୮୪ରେ ପହଞ୍ଚିଥିଲା ଏବଂ ୨୦୨୧ମସିହା ଜୁନ ସୁଦ୍ଧା ୧୫୬୩ଟି ଦୁଷ୍କର୍ମ ମାମଲା ସାମ୍ନା କୁ ଆସିଛି । ସେହିପରି ନାବାଳିକା ଦୁଷ୍କର୍ମ ମାମଲା ବି ବୃଦ୍ଧି ପାଇଛି। ୨୦୧୯ରେ ଏହି ସଂଖ୍ୟା ୧୬୩୫ ଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୬୪୬ ରେ ପହଞ୍ଚିଛି। ତେବେ ୨୦୨୧ଜୁନ ସୁଦ୍ଧା ୭୮୬ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

ସେହିପରି ଭାବେ ହତ୍ୟା ମାମଲା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୧୯ରେ ୧୩୫୬ ଟି ହତ୍ୟା ହୋଇଥିବା ବେଳେ , ୨୦୨୦ରେ ୧୪୭୦ ଏବଂ ୨୦୨୧ ଜୁନ ସୁଦ୍ଧା ୭୮୨ ମାମଲା ସାମ୍ନାକୁ ଆସିଛି । ସେହିପରି ଭାବେ ଯୌତୁକଜନିତ ହତ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୯ରେ ୨୭୮ , ୨୦୨୦ରେ ୩୧୧ ଏବଂ ୨୦୨୧ ଜୁନ ସୁଦ୍ଧା ୧୮୪ଟି ଯୌତୁକଜନିତ ହତ୍ୟା ହୋଇଥିବା ମନ୍ତ୍ରୀ କହିଛନ୍ତି । ୨୦୧୯-୨୦ ମସିହାରେ ଯୌତୁକଜନିତ ନିର୍ଯାତନା ପାଖାପାଖି ସମାନ ରହିଛି। ଏହା ସହ ୨୦୨୧ଜୁନ ସୁଦ୍ଧା ୨୨୯ଟି ମାମଲା ମାମଲା ସାମ୍ନାକୁ ଆସିଥିଲା ।

ଯୌନ ନିର୍ଯାତନାରେ ୨୦୧୯ମସିହାରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ ସୁଦ୍ଧା ୪୯୪୯ ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ୨୦୧୯ରେ ୩ଜଣ, ୨୦୨୦ରେ ୬ ଜଣ ଆଉ ୨୦୨୧ଜୁନ ସୁଦ୍ଧା ଜଣେ ଏସିଡ ମାଡ଼ର ଶିକାର ହୋଇଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖି କହିଛନ୍ତି ଯେ, ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି ।

Related Posts