ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ମିଳିବ ଉଚ୍ଚ ଶିକ୍ଷା: ଝାରପଡ଼ା ଜେଲ୍‌ରେ ଖୋଲିଲା ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷାକେନ୍ଦ୍ର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜେଲ୍‌ରେ ରହୁଥିବା ବିଚାରାଧୀନ ଅନ୍ତେବାସୀ ଏଣିକି ଉଚ୍ଚଶିକ୍ଷା ପାଇପାରିବେ । ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଜେଲ୍‌ ଅନ୍ତେବାସୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ଯୋଗାଇ ଦିଆଯିବ। ଅନ୍ତେବାସୀ ମାନଙ୍କୁ ଯୁକ୍ତ ୩ରୁ ଆରମ୍ଭ କରି ପିଜି , ଡିପ୍ଲୋମା, ସାଇବର ସିକ୍ୟୁରିଟି, ବୈଷୟିକ ଶିକ୍ଷା, ସ୍ନାତକୋତ୍ତର ଭଳି ବିଭିନ୍ନ ବିଷୟରେ ମାଗଣାରେ ଶିକ୍ଷା ଦିଆଯିବ। ଝାରପଡ଼ା ସ୍ବତନ୍ତ୍ର କାରାଗାର ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ୮୨ତମ ଶିକ୍ଷାକେନ୍ଦ୍ର ଉଦ୍‌ଘାଟନ ଉତ୍ସବର ମୁଖ୍ୟ ଅତିଥି ଜେଲ୍ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। 

ଅନ୍ତେବାସୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷାକେନ୍ଦ୍ରରେ ସାମିଲ୍‌ ହେବାକୁ ସେ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ଯୋଗ ଦେଇ କହିଥିଲେ ଯେ ବିଦ୍ୟାର୍ଥୀମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଜ୍ଞାବଦ୍ଧ। ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର, ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ, ଜେଲର୍‌ ସନ୍ତୋଷିନୀ ଦାସ, ଆଞ୍ଚଳିକ କେନ୍ଦ୍ରର ଇନ୍‌ଚାର୍ଜ ଡକ୍ଟର ଦିଲ୍ଲୀପ କୁମାର ନାୟକ ‌ଯୋଗ ଦେଇଥିଲେ।

ଏହି ଶିକ୍ଷାକେନ୍ଦ୍ର ଉଦଘାଟନ ହେବାର ପ୍ରଥମ ଦିନରେ ହିଁ ୧୫ ଜଣ ଅନ୍ତେବାସୀ ବିଭିନ୍ନ ପାଠ୍ୟକ୍ରମରେ ସାମିଲ୍ ହୋଇଛନ୍ତି। କାରାଗାର ଭିତରେ ଥିବା ବିଭିନ୍ନ ସେଲ୍ (କକ୍ଷ) ଗୁଡ଼ିକ ବିଶ୍ୱବିଦ୍ୟାଳୟ ଶ୍ରେଣୀଗୃହ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ରାଜ୍ୟର ବିଭିନ୍ନ ମଣ୍ଡଳ କାରାଗାର ଯଥା- ଚୌଦ୍ୱାର ସର୍କଲ ଜେଲ୍‌, ସମ୍ବଲପୁର ସର୍କଲ ଜେଲ୍‌, ବ୍ରହ୍ମପୁର ସର୍କଲ ଜେଲ୍‌ରେ ମାଗଣାରେ ଶିକ୍ଷା ପ୍ରଦାନ କରିଆସୁଛି। ଭବିଷ୍ୟତରେ ରାଜ୍ୟର ସ୍ୱତନ୍ତ୍ର ଓ ମଣ୍ଡଳ କାରାଗାରରେ ଏଭଳି ଶିକ୍ଷା କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି। 

Related Posts