ୟୁକେରେ ଭୟଂକର ହେଉଛି ଓମିକ୍ରନ ସଂକ୍ରମଣ । ୨୪ ଘଂଟାରେ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ୟୁକେରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୯୬୮ରେ ପହଂଚିଛି । ଏଥିସହିତ ଓମିକ୍ରନ ସଂକ୍ରମଣରେ ଦେଶରେ ୭ ଜଣଙ୍କ ଜୀବନ ଯାଇଛି । ଏନେଇ ବ୍ରିିଟିସ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମଣ ରୋକିବା ପାଇଁ କୋଭିଡ କଟକଣା କଡାକଡି କରିଦିଆଯାଇଛି । ମାସ୍କ ଓ ମାସାଜିକ ଦୂରତା ପାଳନ ଦିଗରେ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ ଏତେଟା ମାରାତ୍ମକ ନୁହେଁ ବୋଲି କୁହାଯାଉଥିବା ବେଳେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କହିଛନ୍ତି, ଓମିକ୍ରନ୍‌ ଖୁବ୍‌ ଗୁରୁତର ବିପଦ ସୃଷ୍ଟି କରିପାରେ । ଆଗକୁ ବିପଜ୍ଜନକ ଲହର ଆସିବା ଆଶଙ୍କା କରି ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଜନସାଧାରଣ ନିଜ ନିଜ ସ୍ତରରେ ସତର୍କ ରହିବା ପାଇଁ ନିବେଦନ କରାଯାଇ । ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଆଣ୍ଡ ଟ୍ରପିକାଲ ମେଡିସିନ୍‌ର ବୈଜ୍ଞାନିକମାନେ କହିଛନ୍ତି, ଯଦି ଜରୁରୀ ଭିତ୍ତିରେ କଠୋର ପଦକ୍ଷେପ ଗ୍ରହଣ ନହୁଏ ତେବେ ଆସନ୍ତା ୫ ମାସ ମଧ୍ୟରେ କରୋନା ମୃତ୍ୟୁ ୭୫ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ । ଲଣ୍ଡନର ସବୁ ଅଂଚଳରେ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଛି ।