ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର ନିର୍ବାଚନ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ରାଜନୈତିକ ଦଳମାନେ ଏହି ଗାଇଡଲାଇନକୁ ଅନୁସରଣ କରି ନିର୍ବାଚନ ପ୍ରଚାର କରୁଛନ୍ତି । ଏସବୁ ମଧ୍ୟରେ କିଛି ରାଜନୈତିକ ଦଳମାନେ ଏହାର ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବର ସାଙ୍ଗରୁରରେ ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମନ ନିବାଚନ ଗାଇଡଲାଇନକୁ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଛି । ଯାହାଫଳରେ ଇଲେକସନ କମିଶନ ତାଙ୍କୁ ଏକ ନୋଟିସ ପଠାଇଥିବାର ସୂଚନା ମିଳିଛି । ସେପଟେ ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମନ ଧୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଭଗବନ୍ତ ମନ ସେଠାରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ପ୍ରଚାର କରିଥିଲେ ।

ଏବଂ ଇଲେକସନ କମିଶନର ଗାଇଡଲାଇନକୁ ଉଲ୍ଲଘଂନ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପଞ୍ଜାବ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଅନ୍ୟପଟେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ଜାନୁଆରୀ ୮ ତାରିଖରେ ନିର୍ବାଚନୀ ତାରିଖ ଘୋଷଣା କରିବା ସହ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ରାଲି, ରୋଡ ସୋ ଏବଂ ବାଇକ ରାଲି ଉପରେ ରୋଗ ଲଗାଇଥିଲେ । ପରେ ଏହି ପ୍ରତିବନ୍ଧକକୁ ଜାନୁଆରୀ ୨୨ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେପଟେ ପଞ୍ଜାବରେ ୧୧୭ ବିଧାନସଭା ଆସନ ପାଇଁ ନିର୍ବାଚନ ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ ରେ ଗୋଟିଏ ପର‌୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ଜାନୁଆରୀ ୨୫ ରେ ବିଜ୍ଞପ୍ତି ଜାରି କରାଯିବ ଏବଂ ନାମାଙ୍କନପତ୍ରର ଶେଷ ତାରିଖ ଫେବୃଆରୀ ୧ ହେବ । ସେହିପରି ଫେବୃଆରୀ ୨ ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ ଏବଂ ନାମଗୁଡିକ ଫେବୃଆରୀ ୪ ପର‌୍ୟ୍ୟନ୍ତ ପ୍ରତ୍ୟାହାର କରାଯାଇପାରିବ । ଅନ୍ୟପଟେ ମାର୍ଚ୍ଚ ୧୦ ତାରିଖରେ ସମସ୍ତ ପାଞ୍ଚଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣନା କରାଯିବ ବୋଲି ସୂଚନା ମିଳିଛି ।