ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଆରପି ସିଂହ ବିଜେପିରେ ମିଶିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି । ଏପରିକି ବିଜେପି ମଧ୍ୟ ତାଙ୍କ ବିଧାନସଭା ନିର୍ବାଚନରେ ଟିକେଟ ଦେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ସେପଟେ ଜିତିନ ପ୍ରସାଦ ଓ ଆରପି ସିଂହ ଉତ୍ତରପ୍ରଦେଶ କଂଗ୍ରେସର ଚର୍ଚ୍ଚିତ ଚେହେରା । ଜିତିନ କଂଗ୍ରେସ ଛାଡିବା ପରେ ବର୍ତ୍ତମାନ ଆରପିଏନ ସିଂ ମଧ୍ୟ ଜିତିନଙ୍କ ପରି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ କେନ୍ଦ୍ରରେ ମନମୋହନ ସିଂହଙ୍କ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ରହିଥିବା ଆରପି ସିଂହ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୩୦ ଜଣ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ଥିଲେ । କିନ୍ତୁ ଏହାର ଠିକ ଗୋଟିଏ ଦିନ ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ଚାଲିଛି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ବଡ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ୍ ସିଂ ଅନେକ ରାଜ୍ୟରେ ରାଜ୍ୟ ପ୍ରଭାରୀ ମଧ୍ୟ ରହିଥିଲେ । ତିନି ଦିନ ପୂର୍ବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ସେ ଗତ କିଛି ମାସ ଧରି କଂଗ୍ରେସରେ ମଧ୍ୟ ସକ୍ରିୟ ନଥିଲେ। ଆରପିଏନ୍ ସିଂ ପୁର୍ବାଞ୍ଚଳ କଂଗ୍ରେସର ଏକ ବଡ ଚେହେରା ଭାବରେ ପରିଗଣିତ । ଆରପିଏନ୍ ସିଂ କୁଶୀନଗରର ସନ୍ଥୱାରର ରାଜ ପରିବାରରୁ ଆସିଛନ୍ତି । କଂଗ୍ରେସ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ସେ ଦଳର ବିଶ୍ୱସ୍ତ ରହିଆସିଛନ୍ତି। ତାଙ୍କ ପିତା ସିପିଏନ୍ ସିଂ ମଧ୍ୟ ଜଣେ ପୁରୁଣା କଂଗ୍ରେସ କର୍ମୀ ଥିଲେ। ଆରପିଏନ୍ ସିଂ ମଧ୍ୟ ତାଙ୍କ ପିତା ସିପିଏନ୍ ସିଂଙ୍କ ପରି ପାଦ୍ରୁଣାର ବିଧାୟକ ଥିଲେ। ୧୯୯୬ ରୁ ୨୦୦୯ ପର୍ୟ୍ୟନ୍ତ ଜଣେ ବିଧାୟକ ହେବା ପରେ ଆରପିଏନ୍ ସିଂ କୁଶୀନଗରରୁ ୧୫ ତମ ଲୋକସଭା ସଦସ୍ୟ ହୋଇଥିଲେ।





