ଚର୍ଚାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଏକ ଭିଡିଓ | ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ସେ କଂଗ୍ରେସ ପାଇଁ ଖୁବ ଚିନ୍ତା କରୁଥିବା ବେଳେ, କଂଗ୍ରେସର ବିନାଶର କାରଣ କହିଛନ୍ତି | ଏଥିସହ ସେ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଉଛନ୍ତି । ଯଦି କାର୍ଯ୍ୟକର୍ତ୍ତା ଏକାଠି ନ ରୁହନ୍ତି ତେବେ ୨୦୨୩ ବିଧାନସଭା ନିର୍ବାଚନ ଶେଷ ନିର୍ବାଚନ ହେବ ବୋଲି ସେ କହୁଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଦିଗବିଜୟ ସିଂ ରତଲାମ ଗସ୍ତ କରିଥିଲେ । ସେଠାରେ ସେ କଂଗ୍ରେସର ବିଭିନ୍ନ କର୍ମୀଙ୍କ ସହ ସାକ୍ଷାତ କରିଥିଲେ । ଅନେକ ସ୍ଥାନରେ ବିଭିନ୍ନ ଗୋଷ୍ଠୀରେ କଂଗ୍ରେସ କର୍ମୀ ଆସିଥିଲେ । ଏହି ସମୟରେ ଦିଗବିଜୟ କଣ ପାଇଁ ଅଲଗା ଠିଆ ହୋଇଛନ୍ତି ବୋଲି ପଚାରିଥିଲେ । କିଏ ଏଠାରେ, କିଏ ସେଠାରେ ଏମିତି ଠିଆ କଣ ପାଇଁ ହୋଇଛ ବୋଲି ପଚାରିଥିଲେ ଦିଗବିଜୟ ।
କଂଗ୍ରେସର ଗୋଷ୍ଠୀ କନ୍ଦଳ ଦେଖି ସେ କହିଥିଲେ ଯେ, ଏପରି ହେବନି । ସମସ୍ତେ ଏକାଠି ହୋଇ ଲଢିବା ଦରକାର । ନହେଲେ ୨୦୨୩ ଶେଷ ନିର୍ବାଚନ ହେବ । ଆଉ ଦଳ ମଧ୍ୟପ୍ରଦେଶରେ ସରକାରକୁ ଆସିପାରିବ ନାହିଁ ।ସମସ୍ତେ ଘରେ ବସି ରହିବେ । ଖୋଜିଲେ ମଧ୍ୟ କାର୍ଯ୍ୟକର୍ତ୍ତା ମିଳିବେ ନାହିଁ ।
ସୂଚନାଯୋଗ୍ୟ, ୧୫ ବର୍ଷ ଧରି ସରକାରରୁ ବାହାରେ ରହିବା ପରେ ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ହୋଇଥିଲା । କିନ୍ତୁ ସରକାର ମାତ୍ର ୧୫ ମାସ ଚାଲିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ପୁଣି ବିଜେପି ସରକାରକୁ ଫେରିଥିଲା ।





