ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଋଷ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଘନୀଭୂତ ହେବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ସଂଘର୍ଷ ଏବେ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି । ଘନ ଘନ ମିସାଇଲ ମାଡରେ ବେହାଲ ହୋଇପଡିଛି ୟୁକ୍ରେନ। ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ରୁଷର ଏହି ପଡୋଶୀ ରାଷ୍ଟ୍ର। ଏ ପର୍ଯ୍ୟନ୍ତ ଅନେକ ସୈନିକଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ଏହି ଧ୍ଵଂସଲୀଳା ପରେ ରୁଷ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି। ସେଠାକାର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ୟୁକ୍ରେନର ସୈନିକ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରିବେ ତେବେ ଆଲୋଚନା କରିବାକୁ ସେ ପ୍ରସ୍ତୁତ।

କାଲିଠୁ ୟୁକ୍ରେନ ଉପରେ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ବର୍ତ୍ତମାନ ଏହି ପ୍ରସ୍ତାବକୁ ଏତେ ଶୀଘ୍ର ମାନିବ ନାହିଁ। ମାତ୍ର ସ୍ଥିତିକୁ ଦେଖିଲେ ଶେଷରେ ଏହା ଜରିଆରେ ହିଁ ସମାଧାନର ରାସ୍ତା ବାହାରିପାରେ। ରୁଷ ପ୍ରଥମରୁ ଏହି ରଣନୀତି ଉପରେ କାମ କରୁଥିଲା ଯେ, ୟୁକ୍ରେନକୁ ପାଦ ତଳକୁ ଆଣିବା ସହ ଆତ୍ମ ସମର୍ପଣ କରିବାକୁ ବିବଶ କରାଯିବ। ତେବେ ୟୁକ୍ରେନ ରୁଷକୁ ଜବାବ ଦେଉଛି। ରୁଷର ଏହି ପ୍ରସ୍ତାବ ଉପରେ ଅଦ୍ୟାବଧି ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ରୁଷର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସେନା ତରଫରୁ ୟୁକ୍ରେନର ଜନବହୁଳ ଅଞ୍ଚଳରେ ଆକ୍ରମଣ କରାଯାଉ ନାହିଁ।

Related Posts