ୟୁକ୍ରେନ-ଋଷ ମଧ୍ୟରେ ଏବେ ଜାରି ରହିଛି ଘମାଘୋଟ ଲଢେଇ | ଉଭୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି | ତେବେ ସଂକଟକୁ ନେଇ ଏବେ ସମଗ୍ର ଦେଶ ଚିନ୍ତିତ ଥିବା ବେଳେ, ଭାରତର ଆଭିମୁଖ୍ୟ ଉପରେ ସାରା ବିଶ୍ବର ନଜର ରହିଥିଲା | ନାଟୋ, ଜି-୭ ରାଷ୍ଟ୍ରର ଧମକକୁ ବେଖାତିର୍ କରି ଆକ୍ରମଣ କରୁଛନ୍ତି ପୁଟିନ । ସେପଟେ ଋଷକୁ ଏକଘରକିଆ କରିବା ପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମେରିକା ପକ୍ଷରୁ ଋଷ ବିରୋଧରେ ଅଣାଯାଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଭୋଟ ପଡିଥିଲା ।
ଏହି ପ୍ରସ୍ତାବରେ ଭାରତର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସାରା ବିଶ୍ବର ନଜର ଥିବା ବେଳେ, କିନ୍ତୁ ଋଷ ବିରୋଧୀ ପ୍ରସ୍ତାବରେ ଆମେରିକା ଭାରତର ସମର୍ଥନ ଚାହିଁଥିବାବେଳେ ଋଷ ସପକ୍ଷରେ ସମର୍ଥନ ଦେଇଛି ଭାରତ । ଜାତିସଂଘର ଋଷ ବିରୋଧୀ ପ୍ରସ୍ତାବ ଉପରେ ଭାରତ ଭୋଟ ଦେବାକୁ ମନା କରିଛି ।
ଜାତିସଂଘ ବୈଠକରେ ଭାରତ କହିଛି, ୟୁକ୍ରେନ ସଙ୍କଟକୁ ନେଇ ଭାରତ ଚିନ୍ତିତ । ହିଂସା ଏବଂ ଶତ୍ରୁତା ସମାପ୍ତ କରିବା ଦିଗରେ ସମସ୍ତ ପ୍ରୟାସ କରାଯାଉ । ମଣିଷ ଜୀବନ ମୂଲ୍ୟ ପ୍ରତିବଦଳରେ ଅନ୍ୟ କୌଣସି ସମାଧାନ ନାହିଁ । ସବୁ ସମସ୍ୟା କୂଟନୀତିକ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ । ତେଣୁ ଋଷ ବିରୋଧ ଚିଠା ପ୍ରସ୍ତାବ ଉପରେ ଭାରତ ନିଜ ମତଦେବାରୁ ନିବୃତ୍ତ ରହିଥିବା ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନ ଙ୍କ ସହ କଥା ହୋଇଥିଲେ | ଯୁଦ୍ଧ ରୁ ନିବୃତ ତଥା କୂଟନୈତିକ ଆଧାରରେ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଅନୁରୋଧ କରିଥିଲେ |





