ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଗିରଫ । ପୋଲିସ ତାଙ୍କୁ ନିଜ ଘରୁ ଉଠେଇନେଇଥିବା ନେଇ ସୂଚନା ମିଳିଛି । କାମ୍ବଲୀ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ସହ ନିଜ ସୋସାଇଟିର ଗେଟକୁ ଧକ୍କା ଦେବା ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ଆକ୍ସନ ନେଇଛି । ତେବେ ପରେ କାମ୍ବଲୀଙ୍କୁ ଜାମିନ୍ ମିଳିଯାଇଛି।
ସୂଚନା ଅନୁସାରେ, ୫୦ ବର୍ଷୀୟ କାମ୍ବଲୀ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ଗାଡ଼ି ଚଳାଇବା ସମୟରେ ନିଜ ସୋସାଇଟିର ଗେଟକୁ ଜୋରରେ ଧକ୍କା ଦେଇଥିଲେ। ଏ ନେଇ ସିକ୍ୟୁରିଟି ଗାର୍ଡ ତାଙ୍କୁ ପଚାରିଥିଲେ। ଯାହା ପରେ କାମ୍ବଲୀ ସୋସାଇଟିର ସିକ୍ୟୁରିଟି ଗାର୍ଡଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁସାରେ କାମ୍ବଲୀ ନିଶାଶକ୍ତ ଅବସ୍ଥାରେ ଗେଟ୍କୁ ଧକ୍କା ମାରିଥିଲେ। ଏହା ପରେ ବାନ୍ଦ୍ରା ପୁଲିସ୍ କାମ୍ବଲୀଙ୍କୁ ଗିରଫ କରିଥିଲା। କିଛି ଦିନ ତଳେ କାମ୍ବଲୀ ଏକ ସାଇବର ଠକେଇର ଶିକାର ହୋଇଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। କେୱାସି ଅପଡେଟ୍ ନାଁରେ ଜଣେ ଠକ ନିଜକୁ ବ୍ୟାଙ୍କ କର୍ମଚାରୀ କହି କାମ୍ବଲୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିଲା। ଏହାକୁ ନେଇ କାମ୍ବଲୀ ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ଯାହା ପରେ ସାଇବର୍ ଟିମ୍ ତୁରନ୍ତ ଆକ୍ସନ ନେଇଥିଲା। ତଦନ୍ତ ପରେ କାମ୍ବଲୀ ନିଜର ଟଙ୍କା ଫେରିପାଇଥିଲେ।
ସୂଚନାଯୋଗ୍ୟ, ଭାରତ ପକ୍ଷରୁ କାମ୍ବଲୀ ୧୦୭ ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୨ ହାରରେ ୨୪୭୭ ରନ୍ କରିଛନ୍ତି। କାମ୍ବଲୀଙ୍କ ନାଁରେ ୨ଟି ଶତକ ଓ ୧୪ ଅର୍ଦ୍ଧଶତକ ରହିଛି।





