ଋଷ ୟୁକ୍ରେନ୍ ଉପରେ ଜାରି ରଖିଛି ଘନଘନ ଆକ୍ରମଣ । ସେପଟେ ଋଷ କୁ କଡ଼ା ଜବାବ ଦେବାରେ ଲାଗିଛି ୟୁକ୍ରେନ । ୟୁକ୍ରେନ ନିଜ ନାଗରିକ ମାନଙ୍କୁ ଯୁଦ୍ଧ ପାଇଁ ଆଗକୁ ଆସିବାକୁ ଅନୁମତି ଦେଇଥିବା ବେଳେ ଅନେକ ୟୁକ୍ରେନ ନାଗରିକ ହାତରେ ଅସ୍ତ୍ର ଧରି ରୁଷ୍ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ଏହାରି ମଧ୍ୟରେ ଦେଶର ଏହି ସଂକଟ ସମୟରେ ଆଗକୁ ଆସିଛନ୍ତି ପୂର୍ବତନ ମିସ୍ ଗ୍ରାଣ୍ଡ ୟୁକ୍ରେନ୍ ବିଜେତା ଆନାସ୍ତାସିଆ ଲେନା। ସେ ଗ୍ଲାମର ଛାଡ଼ି ହାତରେ ବନ୍ଧୁକ ଧରିଛନ୍ତି। ଆଉ ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ନିଜ ଦେଶର ରକ୍ଷା ପାଇଁ ଲେନା ହାତରେ ବନ୍ଧୁକ ଉଠାଇଛନ୍ତି। ସେ ଗ୍ଲାମରକୁ ଅଲବିଦା କହି ମିଲିଟାରୀ ପୋଷାକ ପରିଧାନ କରିଛନ୍ତି। ଦି ନ୍ୟୁୟର୍କ ପୋଷ୍ଟ ଅନୁସାରେ, ଆନାସ୍ତାନିଆ ଲେନା ନିଜ ଦେଶର ରକ୍ଷା ଲାଗି ରାଣ ଖାଇଛନ୍ତି। ସେ କୌଣସି ପରିସ୍ଥିତିରେ ରୁଷୀୟ ସେନାର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେନା ପୋଷାକ ପିନ୍ଧିଥିବା ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଛି।

ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାନିଆ କହିଛନ୍ତି ଯେ ଯେଉଁମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ୟୁକ୍ରେନ୍ ସୀମା ଅତିକ୍ରମ କରୁଛନ୍ତି, ସେମାନଙ୍କୁ ମାରିଦିଆଯିବ। ଏହା ସହ ଆନାସ୍ତାନିଆ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମର୍ଥନରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ସଚ୍ଚୋଟ ଓ ମଜଭୁତ୍ ନେତା ଭାବେ ସମ୍ବୋଧିତ କରି ସେନାର ଏକ ଫଟୋ ଶେଆର୍ କରିଛନ୍ତି।