ନିଜର କଳା କାରନାମାର କଳା ସୂତାରେ ଛଂଦି ହେଉଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଗୋଟିଏ ପରେ ଗୋଟିଏ ଗୁମର ଉପରୁ ପୋଲିସ ପରଦା ଉଠାଉଥିବା ବେଳେ, ତାଙ୍କ ବିରୋଧରେ ଅନେକ ତଥ୍ୟ ସାମ୍ନାକୁ ଅସୁଛି । ଭିନ୍ନ ଭିନ୍ନ ଥାନାରେ ତାଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଠିକ୍ ସେମିତି ଜାଲ୍ ଡକ୍ୟୁମେଣ୍ଟ ପାଇଁ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି। ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା କାର୍ ରେଜିଷ୍ଟ୍ରେସନ ନମ୍ବର କରିଥିବା ଅଭିଯୋଗ ହୋଇଛି।
ସେପଟେ ପୋଲିସ ନକଲି ଡାକ୍ତରଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛନ୍ତି। ଭୁବନେଶ୍ୱର SDJM କୋର୍ଟରେ ଆବେଦନ କଲା ମହିଳା ଥାନା ପୁଲିସ୍। ଗୌହାଟୀ ପତ୍ନୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରାଯାଉଛି। ପୁଲିସ୍ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।
ରସିକିଆ ମାଟ୍ରିକ ଫେଲ୍ ରମେଶ କାମାକ୍ଷାନଗରରେ ଗୋଟିଏ ଘରେ ରହୁଥିଲା। ଏହି ଘରେ ଚାଲିଥିଲା ସାଇଶ୍ରୀ କ୍ଲିନିକ୍। ଜଣେ ଅଭିଜ୍ଞ ଡାକ୍ତରଙ୍କ ପରି ସେଠାରେ ସେ ରୋଗୀ ସେବା କରୁଥିଲା। ୧୯୯୦ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଅନ୍ୟତମ ପତ୍ନୀ ଶାନ୍ତିଲତାଙ୍କ ସହ ସେଠାରେ ରହୁଥିଲା ରମେଶ। କେବଳ ସେତିକି ନୁହେଁ, ତା’ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ୍ ବାଇକ ରଖାଯାଇଛି। ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଜାଲିଆତିର ସବୁ ସୀମା ଅତିକ୍ରମ କରିସାରିଥିଲା ରମେଶ।





