ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଉପରେ ଲେଖା ହେବ ବହି; କଳିଙ୍ଗ ପୁସ୍ତକ ମେଳାରେ ହେବ ଉନ୍ମୋଚନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜର ମିଥ୍ୟା ପରିଚୟ ଦେଇ ସାରା ଦେଶର ଅନେକ ସ୍ଥାନରେ ବିବାହ କରିଥିବା ମହାଠକ ଡାକ୍ତର ରମେଶ ସ୍ୱାଇଁ ପୁଣିଥରେ ଚର୍ଚ୍ଚାରେ । ଏଥର ତାଙ୍କର କୌଣସି ଗୁମର ଫିଟିିବା କାରଣରୁ ନୁହେଁ ବରଂ ତାଙ୍କ ଜୀବନିକୁ ନେଇ ଲେଖାଯାଉଥିବା ବହିକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ କିପରି ଉଚ୍ଚଶିକ୍ଷିତା ଓ ସମ୍ରାନ୍ତ ଶ୍ରେଣୀୟ ମହିଳାଙ୍କୁ ଫସାଉଥିଲେ ତାହାକୁ ନେଇ ଏକ ବହି ପ୍ରକାଶ ପାଇବ । ବହିର ନାଁ ରହିବ ‘ବ୍ରାଣ୍ଡେଡ୍ ଠକ’ । ଆସନ୍ତା ୨୫ତମ ‘କଳିଙ୍ଗ ପୁସ୍ତକ ମେଳା’ରେ ଏହି ବହି ଉନ୍ମୋଚିତ ହେବ । ରସିକିଆ ରମେଶର କାହାଣୀକୁ ନେଇ ଓଡ଼ିଶାର ୪ ଜଣ ଲେଖିକା ବହି ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନେ ହେଲେ ସୁଜାତା ନନ୍ଦ, ଗୀତାଞ୍ଜଳି ପଣ୍ଡା, ରେଣୁକା ମିଶ୍ର ଓ ସୁଷମା ଲେଙ୍କା । ‘କଳିଙ୍ଗ ପୁସ୍ତକ ମେଳା’ ତରଫରୁ ଏମାନେ ରବିବାର ଝାରପଡ଼ା ସ୍ୱତନ୍ତ୍ର ଜେଲ୍ ଯାଇଥିଲେ । ସେଠାରେ ମହିଳା ୱାର୍ଡରେ ୧୦୦ଟି ବହି ଦାନ କରିଥିଲେ । ଫେରିବା ବେଳେ ଗଣମାଧ୍ୟମକୁ ରମେଶ ଉପରେ ବହି ଲେଖାଯିବ ବୋଲି କହିଥିଲେ ।

ରେଣୁକା କହିଛନ୍ତି, ରମେଶର ଠକେଇ ତରିକା ଓ ପ୍ରେମକାହାଣୀ ଖାଲି ଓଡି଼ଶା ନୁହେଁ, ସାରା ଦେଶକୁ ବ୍ୟାପିଛି । ତା ଭଳି ଜଣେ ବିରଳ ଠକ କାହାଣୀ ଶୁଣି ସମସ୍ତେ ଆଶ୍ଚର‌୍ୟ୍ୟ । ଲୋକଙ୍କ ମନରେ ଏନେଇ ଥିବା ଉତ୍କଣ୍ଠା ଦେଖି ବହି ଲେଖିବାକୁ ଆମେ ଇଚ୍ଛୁକ । ପ୍ରତି ମାସରେ ଆସି ରମେଶ ବାବଦକୁ ତଥ୍ୟ ସଂଗ୍ରହ କରିବୁ । ସଂସ୍ଥାର ଅନ୍ୟ ସଦସ୍ୟଙ୍କ ମତାମତ ପରେ ବହି ଲେଖାଯିବ । ଆସନ୍ତା ନଭେମ୍ବର ୪ ତାରିଖରେ କଳିଙ୍ଗ ପୁସ୍ତକ ମେଳାରେ ବହିର ଉନ୍ମୋଚନ କରିବାକୁ ଯୋଜନା ରଖିଛୁ ବୋଲି ସେମାନେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts