ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଏନେଇ ସରକାର ବାରମ୍ବାର ସଚେତନ କରିବା ସତ୍ତ୍ୱେ ଏହା ବଢ଼ିବାରେ ଲାଗିଛି । ଯାହା ବର୍ତ୍ତମାନ ପୁଲିସ ପ୍ରଶାସନର ଚିନ୍ତାର ବିଷୟ ପାଲଟିଛି । ଏହା ମଧ୍ୟରେ ଗତ ଜାନୁଆରୀ ମାସରେ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କା ଠକେଇ ହୋଇଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଭୁବନେଶ୍ୱର ସାଇବର କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଫେବୃଆରୀରେ ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି । ଅନ୍ୟପଟେ ହେଲ୍ପ ଡେସ୍କ ଓ ଅର୍ଥନୈତିକ ଅପରାଧ ଥାନାର ମିଳିତ ଉଦ୍ୟମରେ ଜାନୁଆରୀରେ ଠକେଇ ହୋଇଥିବା ଟଙ୍କାରୁ ମାତ୍ର ଅଳ୍ପ ଟଙ୍କା ଫେରାଇ ଅଣାଯାଇ ପାରିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଫେବୃଆରୀରେ ହେଲ୍ପ ଡେସ୍କକୁ ସାରା ଓଡ଼ିଶାରୁ ୨୮୮ କଲ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୫୪ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୪ ଅଭିଯୋଗ ଆସିଛି । କେବଳ ଭୁବନେଶ୍ୱରରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଠକେଇ ସମ୍ପର୍କୀୟ ୯୪ ଅଭିଯୋଗ, କ୍ରେଡିଟ କାର୍ଡ, ଡେବିଟ କାର୍ଡ ଦ୍ୱାରା ୯୭ ଏବଂ ଅନ୍ୟାନ୍ୟ ଠକେଇ ସମ୍ବନ୍ଧୀୟ ୬୩ କଲ ଆସିଛି । ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଲୁଟିଥିବାବେଳେ ହେଲ୍ପ ଡେସ୍କ ଓ ସାଇବର ଥାନା ପକ୍ଷରୁ ମାତ୍ର ୧୦ ଲକ୍ଷ ୫୨ ହାଜର ୮୦୨ ଟଙ୍କା ଉଦ୍ଧାର କରାଯାଇଛି ।





