ୟୁକ୍ରେନ ବିବାଦକୁ ଦାୟୀ କରି ମାର୍ଚ୍ଚ ୭ କିମ୍ବା ୧୦ ତାରିଖରେ ପେଟ୍ରୋଲ ଦର ବଢ଼ାଇବେ କେନ୍ଦ୍ର ସରକାର: ଓୱାଇସି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ପୂର୍ବରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ବଡ଼ ଦାବି କରିଛନ୍ତି। ତେବେ ମାର୍ଚ୍ଚ ୭ କିମ୍ବା ୧୦ ତାରିଖ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯିବ ବୋଲି ଓୱାଇସି କହିଛନ୍ତି। କେବଳ ଏତିକି ନୁହେଁ ବରଂ ଦର ବଢ଼ିବାର କାରଣ ୟୁକ୍ରେନ ବିବାଦକୁ ଦର୍ଶାଇବେ । କାହିଁକିନା ବିଜେପିର ନେତାମାନେ ମିଛି କହିବାରେ ବେଶ ପାରଙ୍ଗମ ବୋଲି ଓୱାଇସି କହିଛନ୍ତି। ସେପଟେ ଏକ ନିର୍ବାଚନ ରାଲିରେ ସେ ଭାରତ ଜନତା ପାର୍ଟିର ଜଣେ ସମର୍ଥକଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୋଦିଜି ତାଙ୍କ କାରରେ ପେଟ୍ରୋଲ ଢ଼ାଳୁଛନ୍ତି କି? ଅନ୍ୟପଟେ ଓୱାଇସିଙ୍କ ବିବୃତ୍ତି ଅନୁଯାୟୀ, “ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶଛୁଆଁ ହେଉଛି। ଗୋଟିଏ କଥା ମନେ ରଖିବାକୁ ହେବ ଯେ ୭ ତାରିଖ ରାତିରେ କିମ୍ବା ୧୦ ମାର୍ଚ୍ଚ ସକାଳେ ଆପଣ ଦେଖିବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢ଼ିବ । ଏବଂ ଏହାର କାରଣ ଦର୍ଶାଇ ଶାସକ ଦଳର ନେତାମାନେ କିଛି ବି ମିଛି କହିପାରନ୍ତି । ଯେପରିକି ୟୁକ୍ରେନ ବିବାଦ କଥା ହେଉ କିମ୍ବା ଅଲଗା କିଛି ହେଉ । ତଥାପି ଗରିବ ବିଜେପି ସମର୍ଥକ କହିବେ ମୋଦିଜି ଠିକ କରିଛନ୍ତି । ସେମାନଙ୍କୁ ମନେ ରଖିବା ଉଚିତ ଯେ ମୋଦିଜି ସେମାନଙ୍କ ଗାଡ଼ିରେ ତେଲ ଢ଼ାଳୁନାହାନ୍ତି । ସେମାନେ ନିଜେ ତେଲ ଢ଼ାଳୁଛନ୍ତି ବୋଲି ଓୱାଇସି କହିଛନ୍ତି।

ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କିଛିଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଲୋକମାନଙ୍କୁ ନିଜ ଗାଡ଼ିର ପେଟ୍ରୋଲ ଟାଙ୍କିକୁ ଭର୍ତ୍ତି କରିବାକୁ ପଡ଼ିବ । କାହିଁକିନା ମୋଦିଙ୍କ ନିର୍ବାଚନ ଅଫର ଶେଷ ହେବାକୁ ଯାଉଛି ବୋଲି ରାହୁଲ ଗାନ୍ଧୀ ମୋଦିଙ୍କୁ ସମାଲୋଚନା କରି କହିଥିଲେ ।

Related Posts